ସଞ୍ଜୟ ଦତ୍ତଙ୍କୁ ୟୁଏଇ ଦେଲା ଗୋଲ୍ଡେନ ଭିସା, ୧୦ ବର୍ଷ ପାଇଁ ଦୁବାଇରେ ରହିପାରିବେ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବଲିଉଡ ଜଗତର ଆଗଧାଡିର କଳାକାର ଭାବେ ସଂଜୟ ଦତ୍ତ ବେଶ୍ ପରିଚିତ । ନିଜର ଅଭିନୟ ହେଉ କିମ୍ବା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ସଂଜୟ ଦତ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଇତିମଧ୍ୟରେ ସଂଜୟ ଦତ୍ତ ୟୁଏଇ ପାଇଁ ଗୋଲ୍ଡେନ ଭିସା ପାଇଛନ୍ତି । ଏନେଇ ସଂଜୟ ଟ୍ୱିଟରରେ ପାସପୋର୍ଟ ଧରିଥିବାର ଏକ ଚିତ୍ର ସେୟାର କରିଛନ୍ତି। ଏହା ସହ ତାଙ୍କୁ ସୁବର୍ଣ୍ଣ ଭିସା ପ୍ରଦାନ କରିଥିବାରୁ ସେ ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଗୋଲ୍ଡେନ ଭିସା ପାଇବା ପରେ ସଂଜୟ ଦତ୍ତ ୟୁଏଇରେ ୧୦ ବର୍ଷର ଆବାସିକ ଅନୁମତି ପାଇଛନ୍ତି । ଅନ୍ୟପଟେ ସଂଜୟ ସେୟାର କରିଥିବା ଫୋଟରେ ଦୁବାଇର ଜେନେରାଲ୍ ଡାଇରେକ୍ଟୋରେସନ୍ ଅଫ୍ ରେସିଡେନ୍ସି ଏବଂ ଵୈଦେଶିକ ବ୍ୟାପାର ମହାନିର୍ଦ୍ଦେଶକ ମହମ୍ମଦ ଅଲ ମାରି ମଧ୍ୟ ଥିଲେ ।
ତେବେ ଏହି ଗୋଲ୍ଡେନ ଭିସା ନିବେଶକ ଏବଂ ବ୍ୟବସାୟୀଙ୍କ ପାଇଁ ପ୍ରଥମେ 2019 ରେ ଶେଖ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମ୍, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଦୁବାଇର ଶାସକ ଦ୍ଵାରା ଘୋଷଣା କରାଯାଇଥିଲା।

ଏହାର ଗୋଟେ ବର୍ଷ ପରେ ଅର୍ଥାତ୍ 2020 ମସିହାରେ ସ୍ୱତନ୍ତ୍ର ଡିଗ୍ରୀ, ଡାକ୍ତର, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ପାଇଁ ଯୋଗ୍ୟତା ବିସ୍ତାର କରାଯାଇଥିଲା। ସବୁଠାରୁ ରୋଚକ କଥାଟି ହେଉଛି ଦୁବାଇର ରାଜକୁମାର ତଥା ଦୁବାଇ କାର୍ଯ୍ୟନିର୍ବାହୀ ପରିଷଦର ଚେୟାରମ୍ୟାନ୍ ଶେଖ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମଙ୍କର ଯାଆଁଳା ଶିଶୁଙ୍କୁ ନେଇ ସଂଜୟ ଦତ୍ତ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ଶିଶୁଙ୍କୁ ଦୁନିଆର ସମସ୍ତ ପ୍ରେମ, ଭାଗ୍ୟ ଏବଂ ସୁଖ କାମନା କରିଥିଲେ । ଅନ୍ୟପଟେ ପ୍ରତ୍ୟେକ ବର୍ଷ ସଂଜୟ ଦତ୍ତ ଦୁବାଇ ଗସ୍ତ କରୁଥିବାର ଖବର ସାମ୍ନାକୁ ଆସିଥାଏ ।

Related Posts