ଅତୃପ୍ତ ରହିଗଲେ ସଂତୃପ୍ତ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ଡ଼ଃ. ସଂତୃପ୍ତ ମିଶ୍ର, କର୍ପୋରେଟ ଜଗତରେ ଏ ବାବୁଙ୍କର ଯଥେଷ୍ଟ ସୁନାମ ରହିଛି | ୟାଙ୍କୁ କୁମାର ମଙ୍ଗଳମ ବିର୍ଲାଙ୍କର ଖସାମଖାସ କୁହାଯାଏ | ହେଲେ ସଂତୃପ୍ତ ବାବୁଙ୍କର ହଠାତ ମୁଣ୍ଡକୁ ଜୁଟିଲା କି, ସେ ରାଜନୀତି କରିବେ | ଆଉ ସଟକର୍ଟରେ ଜିତିକି ସଂସଦକୁ ଯିବେ | ବେପାର ଦୁନିଆର ଲୋକ, ତେଣୁ କେତେ କମ ନିବେଶରେ ଅଧିକ ଲାଭ ହେବ ସେହି ଫର୍ମୁଲାକୁ ବାବୁ ସଂତୃପ୍ତ ନିଜ ରାଜନୈତିକ କ୍ୟାରିୟରରେ ଲଗାଇଲେ | ଖୋଜୁଥିଲେ କେଉଁ ଦଳରେ ରହିଲେ ବିଜୟ ସହଜ ହେବ | ସେତେବେଳେ ମିଳିଗଲା ବିଜୁ ଜନତା ଦଳ | ଚର୍ଚ୍ଚା ହେଉଛି ବିଜେଡି ପାଇଁ କର୍ପୋରେଟ ଦୁନିଆରୁ ବହୁ ଚାନ୍ଦା ଯୋଗାଡ଼ କରାଇଛନ୍ତି ସଂତୃପ୍ତ ବାବୁ| ତେଣୁ ସ୍ଵାଭାଵିକ ଭାବରେ ତାଙ୍କୁ ସିଧାସଳଖ ବିଜୁ ଜନତା ଦଳରେ ଏଣ୍ଟ୍ରି ମିଳିଲା | ତାଙ୍କ ପତ୍ନୀଙ୍କୁ ମଧ୍ୟ ମିଳିଲା କ୍ୟାବିନେଟ ପାହ୍ୟା | ବାବୁଙ୍କର ଘୋଷିତ ସମ୍ପତ୍ତି ପାଖାପାଖି 500 କୋଟି, ତଥାପି ଆସୁ ଆସୁ ତାଙ୍କୁ ମିଳିଲା ସରକାରୀ ବଙ୍ଗଳା | ସଂତୃପ୍ତ ହେଲେ ବିଜେଡିର ଜାତୀୟ ମୁଖପାତ୍ର ଆଉ କଟକ ଭଳି ମର୍ଯ୍ୟାଦାପୂର୍ଣ୍ଣ ଆସନରୁ ମିଳିଲା ସାଂସଦ ଟିକେଟ |

ବହୁ ଉତ୍ସାହର ସହ ସଂତୃପ୍ତ ବାବୁ ବୁଲେଟ ଠାରୁ ନେଇ ବନା ଧରିବା ପର୍ଯ୍ୟନ୍ତ ପ୍ରଚାରରେ ମାତଙ୍ଗ ବନେଇଦେଲେ | ସମାଜସେବା ଉପରେ ବଡ଼ ବଡ ଭାଷଣ ଦେଲେ | ହେଲେ ସେ ସ୍ୱପ୍ନରେ ଭାବିନଥିଲେ କଟକ ବାସୀ ତାଙ୍କୁ ବାଲଟ ବକ୍ସରେ ଏଭଳି ଚଟକଣୀ ଦେବେ | ବିଜେପିର ଭର୍ତ୍ତୃହରି ମହତାବଙ୍କ ଠାରୁ 57077 ଖଣ୍ଡ ଭୋଟରେ ସେ ହାରିଗଲେ | ଏବେ ଯାହା ପରିସ୍ଥିତି ସଂତୃପ୍ତଙ୍କ ସାଂସଦ ହେବା ସ୍ବପ୍ନ କେବେ ପୁରାଣ ହେବ ତାହା ସନ୍ଦେହରେ | ବହୁ ଆଶା କରିଥିଲେ ପାର୍ଲ୍ୟାମେଣ୍ଟରେ ବସିବେ, ହେଲେ ଯେଉଁ ଡଙ୍ଗା ଧରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଥିଲେ ସେହି ଡଙ୍ଗା ହିଁ ବୁଡିଗଲା | ଏବେ ଚର୍ଚ୍ଚା ହେଉଛି ଯେ, ବାବୁଙ୍କ ନାଁ ଟା ସଂତୃପ୍ତ, ହେଲେ ଅତୃପ୍ତ ରହିଗଲା ତାଙ୍କ ସାଂସଦ ହେବା ସ୍ବପ୍ନ |

Related Posts