ଭଣ୍ଡାରିପୋଖରୀରେ ସତ୍ୟପ୍ରକାଶଙ୍କ ବିଶାଳ ରୋଡ଼ ସୋ, ଯୁବ ଗର୍ଜନ ସମାବେଶକୁ ନେଇ ଚର୍ଚ୍ଚା

ସାମ୍ବାଦିକତାରୁ ରାଜନୀତି ମଇଦାନ । ଦୁର୍ନୀତି ବିରୋଧରେ ସବୁବେଳେ ସ୍ବର ଉଠାଇ ଆସିଥିବା ସତ୍ୟପ୍ରକାଶ ନାୟକଙ୍କ ଭଦ୍ରକ ଭଣ୍ଡାରୀପୋଖରୀରେ ଯୁବ ଗର୍ଜନ ସମାବେଶ ଓ ବିଶାଳ ରୋଡ଼ ସୋ’କୁ ନେଇ ଜିଲ୍ଲାରେ ସରଗରମ ହୋଇଛି ରାଜନୈତିକ ଉଷ୍ଣତା । ଏବେ ଭଣ୍ଡାରୀପୋଖରୀର ବିଧାୟକ-ମନ୍ତ୍ରୀ ତଥା ଭଦ୍ରକର ପୁରୁଖା ନେତା ପ୍ରଫୁଲ୍ଲ ସାମଲଙ୍କ ଗଡ଼ରେ ସତ୍ୟପ୍ରକାଶଙ୍କ ରୋଡ଼ ସୋ ଓ ଯୁବ ସମର୍ଥନକୁ ନେଇ ରାଜନୈତିକ ମହଲରେ ସୃଷ୍ଟି ହୋଇଛି ଚର୍ଚ୍ଚା ।

ସତ୍ୟପ୍ରକାଶଙ୍କ ନେତୃତ୍ବରେ କେନ୍ଦୁଆପଦାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ ଶହ ଶହ ଯୁବକ । ଶୋଭାଯାତ୍ରା ଭଦ୍ରକ ବନ୍ତ ଛକରେ ପହଞ୍ଚିବା ପରେ ସେଠାରେ ଅନୁଷ୍ଠିତ ହୋଇଥିଲା ଯୁବ ଗର୍ଜନ ସମାବେଶ । କୌଣସି ଦଳୀୟ ବ୍ୟାନର କିମ୍ବା ଦଳୀୟ ସ୍ଲୋଗାନ ନୁହେଁ ବରଂ ପରିବର୍ତ୍ତନର ଆହ୍ବାନ ଧ୍ବନିରେ କମ୍ପୁଥିଲା ଯୁବ ଅଧିକାର ଗର୍ଜନ ସଭାସ୍ଥଳ ।

ସମାବେଶରେ ସ୍ଥାନୀୟ ଅଂଚଳର ଯୁବକମାନଙ୍କ ସମସ୍ୟା ସଂପର୍କରେ ଉଦ୍‌ବୋଧନ ଦେଇଥିଲେ ସତ୍ୟପ୍ରକାଶ । ଯୁବକମାନଙ୍କୁ ତାଲିମ୍‌ ଓ ନିଯୁକ୍ତି ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ କହିବା ସହ ଏହା ବିରୋଧରେ ସ୍ବର ଉଠାଇବାକୁ ଆହ୍ବାନ ଦେଇଥିଲେ ।

Related Posts