ରାଉରକେଲା: ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଘଟିଛି ଏକ ଅଘଟଣ । ହଠାତ୍‌ ସ୍କୁଲ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକଙ୍କ ସମେତ ଜଣେ ସିକ୍ୟୁରିଟି ଗାର୍ଡ ଙ୍କ ମୃତ୍ୟୁ ଘଟିଛି । ଏହା ତଳେ ଚାପି ହୋଇ ଦୁଇ ଜଣ ଆଖି ବୁଜିଛନ୍ତି । ଏହି ଅଘଟଣ ଗତକାଲି ରାତିରେ ଘଟିଛି । ମୃତକଦ୍ୱୟ ହେଲେ ସ୍କୁଲର ସିକ୍ୟୁରିଟି ଗାର୍ଡ ୫୮ ବର୍ଷୀୟ ଗାନ୍ଧୀରାମ ରାଉତ ଓ ଅନ୍ୟ ଜଣେ ହେଲେ ୧୬ ବର୍ଷୀୟ ନାବାଳକ ସୁରେଶ ଚୌଧୁରୀ।

ସୂଚନା ଅନୁଯାୟୀ, ଗାନ୍ଧୀରାମ ରାଉତ ପ୍ରାୟ ବର୍ଷେ ହେବ ଉକ୍ତ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସୁରେଶଙ୍କ ଘର ନିକଟରେ ହୋଇଥିବା ବେଳେ ସେ ସେଠାକୁ ନିୟମିତ ଭାବେ ବୁଲାବୁଲି କରିବାକୁ ଯାଇଥାନ୍ତି । ଗତକାଲି ରାତିରେ ସୁରେଶ ସ୍କୁଲକୁ ଯାଇ ଗାନ୍ଧୀରାମଙ୍କ ସହ କଥା ହେଉଥିଲେ। ଉଭୟ ଗେଟ୍‌ ନିକଟରେ ଛିଡ଼ା ହୋଇଥିଲେ।

ଏହି ସମୟରେ ହଠାତ୍‌ ଗେଟ୍‌ଟି ଭୁଶୁଡ଼ିବାରୁ ତା’ ତଳେ ଉଭୟ ଚାପି ହୋଇ ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆରଜିଏଚ୍‌ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଗାନ୍ଧୀରାମଙ୍କୁ ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍‌ କରୁଛି। ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରୁ ନ ଥିବା ବେଳେ ଆଜି ସ୍କୁଲକୁ ଛୁଟି କରି ଦିଆଯାଇଛି ।