
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଲିଠୁ ଖୋଲିବ ସ୍କୁଲ । ପ୍ରଥମରୁ ସପ୍ତମ ଛାତ୍ରମାନଙ୍କ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ । ସେପଟେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା। ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ କ୍ଲାସ ଖୋଲିବ। ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ। ଏହାସହ ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି। ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ। ଫଳରେ ଦୁଇ ବର୍ଷ ହେବ ଶ୍ରେଣୀ ପାଠପଢ଼ା ଦୂରରେ ଥିବା ପିଲାମାନେ ପଛେଇ ଯିବେ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି।
ନିର୍ବାଚନ ହୋଇଥିବାରୁ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି। ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ବୈଠକ କରାଯାଇଛି। ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ରହିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସେ କହିଛନ୍ତି ଯେ ଇତି ମଧ୍ୟରେ ଉଭୟ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।