ଗୌହାଟି: ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଟି । ଚଳିତ ବର୍ଷ ଭଲ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଟି । ଦ୍ବାଦଶ ପରୀକ୍ଷାରେ ପାସ୍‌ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ୬୦% ଓ ତା’ଠାରୁ ଅଧିକ ନମ୍ବର ରଖିଥିବା ୨୯,୭୪୮ ଛାତ୍ରୀ ଓ ୭୫% ଓ ତା’ଠାରୁ ଅଧିକ ନମ୍ବର ରଖିଥିବା ୬,୦୫୨ ଛାତ୍ରଙ୍କୁ ସ୍କୁଟର୍‌ ମିଳିବ।

ବୁଧବାର ଦିନ ଗୌହାଟିସ୍ଥିତ ଜନତା ଭବନରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କ୍ୟାବିନେଟ୍‌ର ନିଷ୍ପତ୍ତି ଘୋଷଣା କରି ଆସାମ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି, ସ୍କୁଟର୍‌ ବଣ୍ଟନ ନିମନ୍ତେ ନଭେମ୍ବର ୩୦ ତାରିଖ ଦିନ ଭବ୍ୟ ସମାରୋହ ଆୟୋଜନ କରାଯିବ। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କାମରୁପ (ମେଟ୍ରୋ) ଏବଂ କାମରୁପ ଜିଲ୍ଲାରେ ଆୟୋଜନ କରାଯିବ।

ନୋଡାଲ୍‌ ପ୍ରିନ୍‌ସିପାଲ୍‌ ଜରିଆରେ ଉଚ୍ଚଶିକ୍ଷା ବିଭାଗ ହିତାଧିକାରୀମାନଙ୍କୁ ପଞ୍ଜିକରଣ ଓ ବୀମା ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସ୍କୁଟର୍‌ ବଣ୍ଟନ ଯୋଜନା ବାବଦକୁ ସମୁଦାୟ ୨୫୮.୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହାଛଡ଼ା, ପ୍ରୋଭିନ୍‌ସିଆଲାଇଜ୍‌ଡ୍‌ କଲେଜରେ ନିଧାର୍ଯ୍ୟ ମାସିକ ବେତନରେ କାର୍ଯ୍ୟରତ ସହକାରୀ ପ୍ରଫେସର୍‌ମାନଙ୍କର ବେତନ ୫୫,୦୦୦ ଟଙ୍କାକୁ ବୃଦ୍ଧି ପାଇବ। ସେହିପରି, ଦ୍ବିତୀୟ ପର୍ଯ୍ୟାୟ ‘ମିସନ୍‌ ବସୁନ୍ଧରା’ ଲାଗୁ କରିବା ପାଇଁ ମଧ୍ୟ ଉକ୍ତ କ୍ୟାବିନେଟ୍‌ରେ ଆଲୋଚନା କରାଯାଇଛି