ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦୨୩ ଜାନୁୟାରୀ ୪ରୁ ୨୬ ତାରିଖ ମଧ୍ୟରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜର ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। କେଉଁ ସମୟ ଅବଧି ମଧ୍ୟରେ ଛାତ୍ରୀମାନଙ୍କୁ ତାଲିମ ଦିଆଯିବ ତାହାର ରୂପରେଖ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୨ କଲେଜର ଅଧ୍ୟକ୍ଷମାନେ ପ୍ରସ୍ତୁତ କରିବେ। ତେବେ ପ୍ରତି ଜିଲ୍ଲା ନୋଡାଲ ସେଣ୍ଟରର ଅଧିକାରୀମାନେ ୮ଦିନ ଧରି ଚାଲିବାକୁ ଥିବା ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବାକୁ ଥିବା ଯୁକ୍ତ୨ କଲେଜ ପରିଦର୍ଶନ ସହ ତଦାରଖ କରିବେ।
ପ୍ରଶିକ୍ଷଣ ପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ବିଲ୍କୁ ନୋଡାଲ ସେଣ୍ଟର ଅଧିକାରୀମାନେ ଅନୁମତି ପ୍ରଦାନ କରିବେ। ପ୍ରତିଦିନ ଘଣ୍ଟାଏ ଲେଖାଏ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯିବ। ପ୍ରଶିକ୍ଷଣର ୮ମ ଦିନରେ ଛାତ୍ରୀଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏନେଇ ନୋଡାଲ ସେଣ୍ଟର ଅଧୀନରେ ଥିବା ସମସ୍ତ ଯୁକ୍ତ ୨ କଲେଜଗୁଡ଼ିକୁ ୩୦ତାରିଖରେ ସୂଚନା ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ଏହି ବୈଠକରେ ୩୦ଟି ନୋଡାଲ ସେଣ୍ଟର ଅଧିକାରୀ ତଥା କଲେଜ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।
