ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଜମଧର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଏକ ଅଟୋ ଉପରେ ଅଜଣା ଗାଡ଼ି ଚଢ଼ିଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅଟୋ ଚାଳକଙ୍କ ସହ ଅନ୍ୟ ଦୁଇଜଣ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଜାମୁଦଣ୍ଡ ଅଞ୍ଚଳର ଆଶିଷ ବେଉରିଆ । ତେବେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ରହିଛନ୍ତି ଆଶିଷଙ୍କ ସହଯୋଗୀ ଓ ଅଟୋ ଡ୍ରାଇଭର ତେବେ ଉଭୟଙ୍କ ପରିଚୟ ମିଳିପାରି ନାହିଁ।
ଘଟଣା ସଂପର୍କରେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
