ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ଖୋର୍ଦ୍ଧାରୁ ଭୁବନେଶ୍ୱର ସ୍କୁଟିରେ ଆସୁଥିବାବେଳେ ଜାଆଁଳା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସେ  ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ଶୋକର ଲହରୀ ଖେଳିଯାଇଛି। ଜିମୂତ ଜଣେ ଜଣାଶୁଣା ସାମ୍ବାଦିକ ଭାବେ ପରିଚିତ । ଖାସକରି ଓଡ଼ିଶା ରାଜନୀତି ବାବଦରେ ଅନେକ ପୁସ୍ତକ ସେ ଲେଖିଥିଲେ । ସେ ‘ନେତା’ ନାମକ ଖବର କାଗଜର ସମ୍ପାଦକ ଥିଲେ । ସେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ପୁସ୍ତକ ରଚନା କରିଥିଲେ।  ଶ୍ରୀ ମଙ୍ଗରାଜ ତିନି ତିନୋଟି ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ । ସଚିବାଳୟ ସାମ୍ବାଦିକ ସଂଘର ନେତୃତ୍ୱ ନେବା ସହିତ ତାଙ୍କର ନିଆରା କଥାବାର୍ତ୍ତା ଓ ଚାଲିଚଳଣ ପାଇଁ ସାମ୍ବାଦିକ ମହଲରେ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ । ସୂଚନାଯୋଗ୍ୟ ଯେ ଦୁଇବର୍ଷ ତଳେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। ତାଙ୍କର ଗୋଟିଏ କନ୍ୟା ଓ ପୁତ୍ର ରହିଛନ୍ତି । 

Related Posts