ବିଜେପିକୁ ଫେରିଲେ ବିଜୟ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବେ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଦଳକୁ ଫେରିଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବିଜୟ ମହାପାତ୍ର ବିଜେପିରେ ଯୋଗଦେବେ । କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ସଭାରେ ବିଜୟ ମହାପାତ୍ର ଦଳରେ ସାମିଲ ହେବେ ।

2018 ମସିହା ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଗତବର୍ଷ ନଭେମ୍ବରରେ ଦଳ ଛାଡିଥିଲେ । । ହେଲେ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନାହିଁ ବୋଲି ଭାଜପା ନେତା ଗୋଲକ ମହାପାତ୍ର କହିଥିଲେ । ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ ଚଳାଇଥିଲେ । ବିଜୟଙ୍କୁ ଫେରାଇ ଆଣିବାକୁ ଗତ ରବିବାର ଦିନ ବସିଥିବା ଏକ ବୈଠକରେ ବିଜେପିର ନେତୃବୃନ୍ଦ ପ୍ରାୟ ଚୂଡ଼ାନ୍ତ କରିଥିଲେ ।

ବିଜେପିକୁ ଫେରିବା ପରେ ବିଜୟ କହିଛନ୍ତି, ଅରୁଣ ସିଂହ ଓ ଦଳର ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ବହୁ ସମୟ ଧରି ଆଲୋଚନା ହେଲାୟ ଟେଲିଫୋନ୍ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ କଥାବାର୍ତା ହୋଇଥିଲା । ଦଳର ଅନ୍ୟ ରାଷ୍ଟ୍ରୀୟ ନେତାଙ୍କ ସହ ବି ଆଲୋଚନା ହୋଇଥିଲା । ନିର୍ବାଚନ ପାଖେଇ ଆସୁଥିବାରୁ ଓଡ଼ିଶାରେ ନୂଆ ପରିବର୍ତନ ଆଣିବା ପାଇଁ ଆମକୁ ଏକାଠି ହୋଇ ଲଢିବାକୁ ପଡ଼ିବ । ପୁରୁଣା କଥା ଭୁଲି ନୂଆ ସଂକଳ୍ପ ସହ ଆମେ ଆଗକୁ ବଢ଼ିବୁ ।

ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ବିଜୟ ମହାପାତ୍ର କେଉଁଠାରୁ ନିର୍ବାଚନ ଲଢିବେ, ସେ ନିଷ୍ପତି ଦଳର କେନ୍ଦ୍ରୀୟ କମିଟି ନେବ । ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । କେନ୍ଦ୍ରାପଡ଼ାରେ ବିଜେପି ନିଶ୍ଚିତ ଜିତିବ । ପୂର୍ବଥର ଅପେକ୍ଷା ବୈଜୟନ୍ତ ପଣ୍ଡା ଏଥର ଅଧିକ ଭୋଟରେ ବିଜୟୀ ହେବେ ।

ବୈଜୟନ୍ତ କହିଛନ୍ତି ଯେ ବିଜୟ ମହାପାତ୍ର ବିଜେପିର ଜଣେ ବରିଷ୍ଠ ନେତା । ସେ ପ୍ରଚାର ଆରମ୍ଭ କରିବେ । ମୋଦୀଙ୍କୁ ଦ୍ୱିତୀୟ ଥର ପାଇଁ ଆମେ ପ୍ରଧାନମନ୍ତ୍ରୀ କରିବୁ । ଓଡ଼ିଶାରେ ପରିବର୍ତନର ଯେଉଁ ନାରା ଚାଲିଛି, ତାହା ନିଶ୍ଚିତ ସଫଳ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Related Posts