ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ ଗୁଜୁରାଟ ଖେଡ଼ା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ପିଟିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ଭିଡ଼ିଓ ଭାଇରାଲ ମଧ୍ୟ ହୋଇଥିଲା। ତେବେ ବର୍ତ୍ତମାନ ଏହାକୁ ନେଇ ଏକ ବଡ ସତ ସାମ୍ନାକୁ ଆସିଛି। ବିଜୁଳି ଖୁଣ୍ଟରେ ବ୍ୟକ୍ତି ଜଣଙ୍କୁ ବାନ୍ଧି ମାଡ଼ ମାରିଥିବା ଲୋକ ଆଉ କେହି ନୁହନ୍ତି, ବରଂ ସେ ଜଣେ ପୋଲିସ ଇନ୍ସପେକ୍ଟର ବୋଲି ଜଣା ପଡ଼ିଛି। ସେ ସ୍ଥାନୀୟ କ୍ରାଇମ ବ୍ରାଞ୍ଚ (ଏଲସିବି) ୟୁନିଟର ପୋଲିସ କର୍ମଚାରୀ ବୋଲି ଚିହ୍ନଟ କରାଯାଇଛି। ଏହାକୁ ନିଶ୍ଚିତ କରି ପୋଲିସ୍ ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଇନ୍ସପେକ୍ଟର ଏ ଭି ପାରମାର ବୋଲି ଚିହ୍ନଟ କରିଛନ୍ତି। ଏହାସହିତ ମାଡ ଦିଆଯାଉଥିବା ବ୍ୟକ୍ତିଙ୍କ ପକେଟରୁ ଫୋନ୍ ଏବଂ ୱାଲେଟ୍ ବାହାର କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସବ୍ ଇନ୍ସପେକ୍ଟର ଡି ବି କୁମାଭାଟ ବୋଲି ଚିହ୍ନଟ କରାଯାଇଛି। ତେବେ ଏନେଇ ଉଭୟ ପାରମାର ଏବଂ କୁମାଭାଟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭିଡିଓ କ୍ଲିପଗୁଡ଼ିକରେ ଦେଖାଯାଇଥିବା କର୍ମଚାରୀଙ୍କ ନାମ ନାମ ସମ୍ପର୍କରେ ପୋଲିସ ପକ୍ଷରୁ ଆଧିକାରୀକ ଭାବେ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏନେଇ ଗୁଜୁରାଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆଶିଷ ଭାଟିଆଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଏନେଇ କହିଛନ୍ତି ଯେ, ଭିଡିଓରେ ଦେଖାଯାଇଥିବା ପୋଲିସ କର୍ମଚାରୀଙ୍କ ତଦନ୍ତ ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ। ତଦନ୍ତ ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଏହି ଘଟଣାର ତଦନ୍ତ ଦାୟିତ୍ୱ ଥିବା କପାଦଭଞ୍ଜ ତାଲୁକା ପୋଲିସ୍ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଭି ଏନ ସୋଲାନ୍କିଙ୍କୁ ଦିଆଯାଇଛି। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୋତେ ଆଜି ଏହି ଘଟଣାର ତଦନ୍ତ ହସ୍ତାନ୍ତର କରାଯାଇଛି। ଭିଡିଓ କ୍ଲିପଗୁଡିକର ସବିଶେଷ ଯାଞ୍ଚ ପରେ ଏନେଇ କୌଣସି ପ୍ରତିକ୍ରିୟା ଦେବେ ବୋଲି ସେ କହିଛନ୍ତି
ସୂଚନା ଅନୁସାରେ, ଗୁଜରାଟର ଖେଡା ଜିଲ୍ଲାରେ ନବରାତ୍ରି ପାଳନ ସମୟରେ ପଥରଫିଙ୍ଗା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସଂପୃକ୍ତ ଏକ ଭିନ୍ନ ସଂପ୍ରଦାୟର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପୁଲିସର ମାଡ଼ ମାରିବାର ଭିଡିଓ ଏବେ ବିବାଦଘେରକୁ ଆସିଛି। ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଗୁଜୁରାଟର ଖେଡା ଜିଲ୍ଲାର ସାଦା ପୋଷାକଧାରୀ ପୁଲିସ କର୍ମଚାରୀମାନେ ଠେଙ୍ଗାରେ ପିଟିବା ଭିଡିଓ ଭାଇରାଲ୍ ହୋଇଛି ।
ତେବେ ଗତ ସୋମବାର ଦିନ ରାତିରେ ଗୁଜୁରାଟ ଖେଡା ଜିଲ୍ଲାର ଏକ ମନ୍ଦିର ପରିସରରେ ଗରବା କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ବ୍ୟକ୍ତି ଏକତ୍ରିତ ହୋଇ ପଥର ଫିଙ୍ଗିଥିଲେ, ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଧରିବା ପରେ ତାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ କୁହାଯାଇଥିଲା। ସେ ଏହା ନ କରିବାକୁ ତାଙ୍କୁ ପୋଲିସ ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା।
