(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ । ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ପାଇଁ ବିଭିନ୍ନ ବୟସର ୨ଶହ ଜଣଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି ସୂଚନା ମୁତାବକ ୮,୧୫, ୩୨, ୪୧ ଓ ୬୩ ୱାର୍ଡରେ ସେରୋସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ। ଏବଂ ଏଥିପାଇଁ ୫ ୱାର୍ଡରେ ୫ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ କାଲି ଠାରୁ ରାଜ୍ୟରେ ସେରୋ ସର୍ଭେ ଆରମ୍ଭ ହୋଇଯାଇଛି। ଆରଏମ୍‌ଆରସି ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ। ଖୋର୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ରହିଛି।

ସୂଚନାଯୋଗ୍ୟ ଯେ ଏଥିର ପ୍ରଥମ ଥର ଲାଗି ଏହି ସେରୋସର୍ଭେରେ ପୂର୍ବ ତୁଳନାରେ ନମୁନା ସଂଖ୍ୟା ଅଧିକ ରହିଛି। ପୂର୍ବରୁ ୧୮ବର୍ଷରୁ ଅଧିକ ଲୋକଙ୍କ ସେରୋସର୍ଭେ କରାଯାଇଥିଲା। ମାତ୍ର ଚଳିତ ଥର ବୟସ୍କଙ୍କ ସମେତ ୧୮ବର୍ଷରୁ କମ୍ ପିଲାଙ୍କୁ ଏହି ସେରୋ ସର୍ଭେରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କରୋନା ଟିକାକରଣ ପରେ ଏଭଳି ଏକ ବଡ଼ଧରଣର ସର୍ଭେରୁ ରାଜ୍ୟରେ କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହୋଇପାରିବ ବୋଲି ଆରଏମ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି।

ଏଥର କମ୍ୟୁନିଟିସ୍ତରରେ ରାଣ୍ଡମ୍‌ ୪୦ ନମୁନା, ୧୦୦ ସ୍ବାସ୍ଥ୍ୟକର୍ମୀକୁ ମିଶାଇ ୧୨ଟି ଜିଲ୍ଲାରେ ମୋଟ ୧୩୭ଟି କ୍ଲଷ୍ଟରରୁ ନମୁନା ସଂଗ୍ରହ କରାଯିବର ଲକ୍ଷ୍ୟ ରଖାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧୨ଶହ ଓ କମ୍ୟୁନିଟିରୁ ୫୪୮୦ ନମୁନାକୁ ମିଶାଇ ସମୁଦାୟ ୬୬୮୦ ନମୁନା ସଂଗ୍ରହ କରାଯିବ। ତେବେ କମ୍ୟୁନିଟିରୁ ସଂଗ୍ରହ ହେବାକୁ ଥିବା ନମୁନାରେ ୬-୧୭ବର୍ଷର ୧୬୪୪, ବୟସ୍କ ୩୮୩୬ ବ୍ୟକ୍ତି ରହିବେ।

ଏହି ନମୁନା ସଂଗ୍ରହ କରିବା ପାଇଁ ସମୁଦାୟ ୬ଟି ଟିମ୍ ନିୟୋଜିତ ହେବେ। ଏଥିରେ ଜଣେ ସୁପରଭାଇଜର୍‌, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଫ୍ଲେବୋଟୋମିଷ୍ଟ ଓ ଜଣେ ଡାଟାଏଣ୍ଟ୍ରି ଅପରେଟର୍‌ ରହିବେ ବୋଲି ଆରଏମ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛିଦିନ ତଳେ ଜାତୀୟସ୍ତରରେ ହୋଇଥିବା ସେରୋସର୍ଭେରେ ରାଜ୍ୟର ୩ଟି ଜିଲ୍ଲା ସାମିଲ ହୋଇଥିଲା। ଗଞ୍ଜାମରେ ୭୦.୯, ରାୟଗଡ଼ା ୬୩ ଓ କୋରାପୁଟରେ ୬୧,୩ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ‌ସେହିପରି କରୋନାର ପ୍ରଥମର ଲହର ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ ପର୍ଯ୍ୟାୟରେ ସେରୋସର୍ଭେ କରାଯାଇଥିଲା।