କାବୁଲରୁ ଆମେରିକାର ଉଦ୍ଧାର ପ୍ରକ୍ରିୟା ଶେଷ: ଆତସବାଜି ଓ ଶୂନ୍ୟକୁ ଗୁଳି ଚାଳନା କରି ପୂର୍ଣ୍ଣ ସ୍ବାଧୀନତା ଘୋଷଣା କଲା ତାଲିବାନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟିଛି। ଆତଙ୍କବାଦୀଙ୍କ ଦ୍ବାରା ରକେଟ୍‌ ଆକ୍ରମଣ ଭିତରେ ଆଜି କାବୁଲରୁ ଆମେରିକା ସେନା ଉଦ୍ଧାର ପ୍ରକ୍ରିୟା ଶେଷ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ସେନାର ଶେଷ  ସୈନ୍ୟ ଟିମ୍ ଚାଲିଯିବା ପରେ ତାଲିବାନ୍ ଆଫଗାନିସ୍ତାନକୁ ପୂର୍ଣ୍ଣ ସ୍ବାଧୀନ ଦେଶ ଭାବେ ଘୋ‌ଷଣା କରିଛି।

ସୋମବାର ମଧ୍ୟରାତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ବିମାନଟି ଚାଲିଯିବା ପରେ ତାଲିବାନୀ ମାନେ ଶୂନ୍ୟକୁ ଗୁଳି ଚାଳନା କରିବା ସହ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ। ବିଦ୍ରୋହ କରି ବିଶ୍ବର ବିଶ୍ବର ସବୁଠୁ ଶକ୍ତିଶାଳୀ ସେନା ଆମେରିକାକୁ ଦେଶରୁ ତଡ଼ିବାରେ ସଫଳ ହୋଇଥିବାରୁ ତାଲିବାନ ବିଜୟ ଉତ୍ସବ ପାଳିଥିବା କଥା କହିଛନ୍ତି।

ମଙ୍ଗଳବାର ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ଆମେରିକା ସେନା କାବୁଲ୍ ବିମାନ ବନ୍ଦର ପରିତ୍ୟାଗ କଲା, ଏବଂ ଆମ ଦେଶ ପୂର୍ଣ୍ଣ ସ୍ବଧୀନତା ପାଇଲା।

କାବୁଲ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ମୁତୟନ ହୋଇଥିବା ହେମାଦ୍ ଶେର୍ଜାଦ୍‌ ନାମରେ ଜଣେ ତାଲିବାନୀ କହିଛନ୍ତି, ଶେଷ ପାଞ୍ଚଟି ବିମାନ ଉଡ଼ି ଚାଲିଗଲା, ଯୁଦ୍ଧର ଅବସାନ ଘଟିଲା ! ମୁଁ ମୋର ଖୁସି ବ୍ୟକ୍ତ କରିପାରୁ ନାହିଁ… ଆମର ୨୦ ବର୍ଷର ସଙ୍ଘର୍ଷ ସଫଳ ହୋଇଛି।

ଅପରପକ୍ଷରେ ୱାସିଂଟନ୍‌ରେ ‘ୟୁଏସ୍‌ ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖ୍ୟ ଜେନେରାଲ୍‌ ଫ୍ରାଙ୍କ୍‌ ମ୍ୟାକ୍‌କେନ୍‌ଜି ଆମେରିକାର ଲମ୍ବା ଲଢେଇ ଏବଂ ଲୋକମାନଙ୍କୁ ଉଦ୍ଧାର କରିବାର ପରିସମାପ୍ତି ଘୋ‌ଷଣା କରିବାକୁ ଯାଇ କହିଛନ୍ତି, ଇଷ୍ଟର୍ଣ୍ଣ ଡେଲାଇଟ୍‌ ଟାଇମ୍ ଅନୁସାରେ ଅପରାହ୍ଣ ୩.୨୯ରେ (କାବୁଲ୍‌ରେ ସୋମବାର ମଧ୍ୟରାତ୍ରର ଗୋଟିଏ ମିନିଟ୍‌ ପୂର୍ବରୁ) କାବୁଲ୍‌ ବିମାନ ବନ୍ଦରରୁ ଶେଷ ବିମାନ ସବୁ ଉଡ଼ାଣ ଆରମ୍ଭ କଲା।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୪ରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ଅନ୍ୟାନ୍ୟ ଦେଶ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ଖାଲି କରାଇଛନ୍ତି। ଆଜି ଶେଷ ପର୍ଯ୍ୟାୟରେ ୧୨ ସହ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତର କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପ୍ରବକ୍ତା କହିଛନ୍ତି। ବ୍ରିନେଟ୍‌, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ଉଦ୍ଧାର ପ୍ରକ୍ରିୟା‌ ଗତକାଲିଠାରୁ ଶେଷ କରିଛନ୍ତି। ସେହିପରି କାବୁଲରେ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ଜେ ବିମାନ ମଧ୍ୟ ଆଜି ଭାରତ ଫେରି ଆସିଛି। 

Related Posts