
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରୀୟ ଭେନଜୁଏଲାରେ ପ୍ରବଳ ବର୍ଷା ପରେ ନଦୀ କୂଳ ଲଙ୍ଘିବାରୁ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଦକ୍ଷିଣ ଆମେରିକାରେ ପ୍ରବଳ ବର୍ଷା ଯୋଗୁ ଏଭଳି ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି ।
ଗତ କିଛି ଦିନ ହେବ ଭେନଜୁଏଲାରେ ପ୍ରବଳ ବର୍ଷା ଜାରି ରହିଛି ।ଏଥିଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଅଧିକାଂଶ ଲୋକଙ୍କ ପ୍ରାଣହାନୀ ଘଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନ ଯୋଗୁଁ ଘରଦ୍ବାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ନଷ୍ଟ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସି ଘରଦ୍ୱାର ସବୁ କାଦୁଅ ତଳେ ପୋତି ହୋଇଯାଇଛି । ରାସ୍ତାରେ ବିରାଟ ବଡ ବଡ ଗଛ ଉପୁଡି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ।
ଭେନଜୁଏଲା ଉପରାଷ୍ଟ୍ରପତି ଡେଲ୍ସି ରଡ୍ରିଗେସ୍ ଏନେଇ ସୂଚନା ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ସୂଚନା ମୁତାବକ, ମଧ୍ୟ ଭେନଜୁଏଲାର ୫ଟି ଛୋଟ ଛୋଟ ନଦୀରେ ବନ୍ୟା ଆସିଛି । ପୂରା ସହରରେ ଏବେ ମଧ୍ୟ କାଦୁଅ ଓ ମାଟି ତଳେ ଅନେକ ଲୋକ ଦବି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି ।
ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ସନ୍ଧାନୀ କୁକୁରଙ୍କ ସହିତ ପ୍ରାୟ ୧୦୦୦ ଲୋକ ନିୟୋଜିତ ହୋଇଥିବା କଥା ଗୃହ ଓ ବିଚାର ବିଭାଗୀୟ ମନ୍ତ୍ରୀ ରିମିଜିଓ ସିବାଲସ୍ କହିଛନ୍ତି।