ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ବିବାଦୀୟ ବୟାନ: ସଂଖ୍ୟାଲଘୁଙ୍କଠୁ ଜିନିଷ ପତ୍ର କିଣନ୍ତୁ ନାହିଁ

ନୂଆଦିଲ୍ଲୀ:ବିବାଦୀୟ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରବେଶ ବର୍ମା । ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି। ସଂଖ୍ୟାଲଘୁଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସେମାନଙ୍କର ବହିଷ୍କାର କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି।

ଦିଲ୍ଲୀର ସୁନ୍ଦର ନଗରୀରେ ଜଣେ ହିନ୍ଦୁ ଯୁବକ ମନୀଷଙ୍କ ହତ୍ୟା ପ୍ରତିବାଦରେ ରବିବାର ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ବିରାଟ ହିନ୍ଦୁ ସଭାର ଆୟୋଜନ କରିଥିଲା। ଏହି ସମୟରେ ସେ ବିବାଦୀୟ ବୟାନ ଦେଇ କହିଛନ୍ତି, ମନୀଷଙ୍କ ହତ୍ୟା ଜିହାଦି ତତ୍ଵ କାରଣରୁ ହୋଇଛି।

ସେ କହିଛନ୍ତି, ମନୀଷଙ୍କ ହତ୍ୟା କୌଣସି ସାଧାରଣ ଘଟଣା ନୁହେଁ। ଏଥିପାଇଁ ସେ ମୁସଲମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସେମାନଙ୍କର ବହିଷ୍କାର କରିବାକୁ ଅପିଲ୍ କରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ସାଂସଦଙ୍କ ଅପିଲ୍‌ରେ ଦୁଇ ହାତ ଉପରକୁ ଉଠାଇ ସମର୍ଥନ କରିଛନ୍ତି।

ବିଜେପି ସାଂସଦ କହିଛନ୍ତି, ଯେ ପର୍ଯ୍ୟନ୍ତ ସମସ୍ତ ହିନ୍ଦୁ ଏକଜୁଟ୍ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଏମିତି ଘଟଣା ଘଟି ଚାଲିବ। ଜିହାଦିମାନେ ଦିଲ୍ଲୀରେ ଏମିତି କରି ଚାଲିଥିବେ କାରଣ ସେମାନଙ୍କୁ ଲାଗୁଛି ଯେ, ଏଠାରେ ସେମାନଙ୍କର ସରକାର ଅଛି। ଏମିତି ଲୋକଙ୍କୁ ହିନ୍ଦୁ ଏବଂ ପୋଲିସ୍ ଉଚିତ୍ ଶିକ୍ଷା ଦେଇ ପାରିବେ ବୋଲି କହିଛନ୍ତି।

ସେମାନଙ୍କ ନିକଟରୁ ପନିପରିବା କିଣିବାର ଆବଶ୍ୟକ ନାହିଁ। ଏହି ଲୋକେ ମାଛ-ମାଂସ ଦୋକାନ ଏବଂ ରେଷ୍ଟୁରାଣ୍ଟ ଖୋଲୁଛନ୍ତି। ଏମସିଡିକୁ କହି ଯାହାଙ୍କ ପାଖରେ ଲାଇସେନ୍ସ ନାହିଁ ସେମାନଙ୍କ ଦୋକାନ ବନ୍ଦ କରାଯିବାର ଆବଶ୍ୟକତା ରହିଛି। ଯେଉଁଠାରେ ବି ଏହି ଲୋକେ ଦେଖାଯିବେ ସେମାନଙ୍କୁ ବହିଷ୍କାର କରନ୍ତୁ ବୋଲି ବିଜେପି ସାଂସଦ କହିଛନ୍ତି।

ପ୍ରବେଶ ବର୍ମା କହିଛନ୍ତି, ଯଦି ସେମାନଙ୍କର ମସ୍ତିଷ୍କ ଏବଂ ସ୍ଵାସ୍ଥ୍ୟ ଠିକ୍ କରିବାର ଅଛି ତେବେ ଏହାର ଏକ ମାତ୍ର ଚିକିତ୍ସା ହେଉଛି ସଂପୂର୍ଣ୍ଣ ବହିଷ୍କାର। ତେଣୁ ଲୋକେ ସଂଖ୍ୟାଲଘୁଙ୍କ ଦୋକାନରୁ ପନିପରିବା କିଣିବା ବନ୍ଦ କରନ୍ତୁ। ସେମାନଙ୍କ ନିକଟରୁ କୌଣସି ସାମାନ କିଣନ୍ତୁ ନାହିଁ

Related Posts