ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଏକ ନୂଆ ସଙ୍କଟ ପୁଣିଥରେ ମୁଣ୍ଡ ଟେକିଛି । ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖାଦେଇଛି । ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶ ପର୍ୟ୍ୟନ୍ତ ଏବଂ ଉତ୍ତରାଖଣ୍ଡରୁ ହିମାଚଳ ପ୍ରଦେଶ ପର୍ୟ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖାଦେଇଛି । ଏହି ରାଜ୍ୟଗୁଡିକ ରେ କେଉଁଠି ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ପଡ଼ୁଛି ତ ଆଉ କେଉଁଠି ପେଟ୍ରୋଲ ପାଇବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଦେଶର ଏହି ରାଜ୍ୟର ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲ ସଙ୍କଟ ଦେଖାଦେବାରେ ଲାଗିଛି ।
ସେପଟେ ରାଜସ୍ଥାନରେ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନରେ ଗତ ଦୁଇ ଦିନ ଧରି ଦୁଇଟି ଇନ୍ଧନ ତୈଳ କମ୍ପାନୀ ଭରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମର ଚାହିଦା-ଯୋଗାଣ ଅନୁପାତ ଅସ୍ଥିର ହୋଇପଡିଛି। ରାଜସ୍ଥାନର ପ୍ରାୟ ୨୦୦୦ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ହୋଇ ଯାଇଥିବାବେଳେ ଅନ୍ୟ ପେଟ୍ରୋଲ ପମ୍ପ ଗୁଡ଼ିକରେ ନାହି ନଥିବାର ଭିଡ ଦେଖିବାକୁ ମିଳୁଛି । ଅନ୍ୟପଟେ ରାଜସ୍ଥାନରେ ସମୁଦାୟ ସାଢ଼େ ୬ ହଜାର ପେଟ୍ରୋଲ ପମ୍ପ ଅଛି ।
ଏଭଳି ପରିସ୍ଥିତିରେ ପ୍ରାୟ ୨ ହଜାର ପେଟ୍ରୋଲ ପମ୍ପ ବନ୍ଦ ହେବା ପରେ ପରିସ୍ଥିତି ଅତ୍ୟନ୍ତ ଗୁରୁତର ହୋଇପଡିଛି। ସେପଟେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ପରେ ତୈଳ କମ୍ପାନୀଗୁଡିକ ଯୋଗାଣ କମାଇ ଦେଇଛନ୍ତି। ଯଦି ୨୪ଘଣ୍ଟା ମଧ୍ୟରେ ତୈଳ ଯୋଗାଣ ନହୁଏ ତେବେ ରାଜସ୍ଥାନର ୩ ହଜାର ପମ୍ପରେ ପେଟ୍ରୋଲ ଡିଜେଲ ସରିଯିବ। ସେପଟେ ପାଲି ଜିଲ୍ଲାରେ, ଇଶ୍ୱର ଏବଂ ରିଲାଏନ୍ସର ୧୪ଟି ପେଟ୍ରୋଲ ପମ୍ପରେ ତାଲା ଝୁଲି ସାରିଲାଣି। କିଛି ଦିନ ପୂର୍ବରୁ ରାଜ୍ୟରେ ଥିବା ୧୫୦୦ ରୁ ଅଧିକ ରିଲାଏନ୍ସ ଏବଂ ଏସରର ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଥିଲା।
ଅନ୍ୟପଟେ ପେଟ୍ରୋଲ ପମ୍ପ ସଂଚାଳକଙ୍କ କହିବା ମୁତାବକ, ରାଜ୍ୟରେ ସାତ ଦିନ ହେବ ୬୫୦୦ରୁ ଅଧିକ ପେଟ୍ରୋଲ ପମ୍ପରେ ଚାହିଦା ଅନୁଯାୟୀ ତୈଳ କମ୍ପାନୀଗୁଡିକ ଯୋଗାଣ କରୁନାହାଁନ୍ତି। ଏହି କାରଣରୁ ତିନି ହଜାରରୁ ଅଧିକ ପମ୍ପରେ ତେଲ ସରିଯିବା ଭଳି ପରିସ୍ଥିତି ଉପୁଜିଛି। ଯଦି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିଜେଲ ଏବଂ ପେଟ୍ରୋଲ ଯୋଗାଣ ନହୁଏ ତେବେ ରାଜ୍ୟରେ ୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ପାଞ୍ଚ ହଜାରରୁ ଅଧିକ ପମ୍ପରେ ଡ୍ରାଏ ରନ୍ ସ୍ଥିତି ଉପୁଜିବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
