ଶରଦ ପାୱାରଙ୍କ ସଙ୍ଗୀନ ଅଭିଯୋଗ : ” ମହିଳା ସାଂସଦଙ୍କ ସହ ହୋଇଛି ମାରପିଟ, ୫୫ ବର୍ଷର ସଂସଦୀୟ କ୍ୟାରିୟରରେ କେବେ ବି ଦେଖିନି ଏଭଳି ଘଟଣା “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ ଜାସୁସି ମାମଲା, ନୂତନ କୃଷି ଆଇନ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବାରମ୍ବାର ସଂସଦ କାର୍ଯ୍ୟ ଅବ୍ୟାହତ ହୋଇ ଧୋଇଗଲା ଚଳିତ ମୌସୁମୀ ଅଧିବେଶନ । ଶେଷରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ଘୋଷଣା କରାଯାଇଛି। ଗୃହରେ ‘୧୨୭ ସମ୍ବିଧାନ ସଂଶୋଧନ ବିଲ୍, ୨୦୨୧ ଦୀର୍ଘ ୬ ଘଣ୍ଟା କାଳ ଚର୍ଚ୍ଚା ହେବା ପରେ ପାରିତ ହେଲା। ଏହା ପରେ ସାଧାରଣ ବୀମା ବ୍ୟବସାୟ ଜାତୀୟକରଣ ସଂଶୋଧନ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏହି ସମୟରେ ବିରୋଧୀ କରିଥିଲେ ଜୋରଦାର ହଙ୍ଗାମା । ବିରୋଧୀ ଦଳ ଏହି ବିଲ୍ କୁ ସିଲେକ୍ଟ କମିଟିକୁ ପଠାଇବା ଦାବିରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ।  କିନ୍ତୁ ଉତ୍ତେଜନା ମଧ୍ୟରେ ସରକାର ଏହି ବିଲ୍ ପାରିତ କରିଦେଇଛନ୍ତି।ଉତ୍ତେଜନା ଯୋଗୁଁ ଗୃହ ପ୍ରଥମ 15 ମିନିଟ ପାଇଁ ସ୍ଥଗିତ ରଖାଯାଇଥିଲା। ପରେ, ବୀମା ବିଲ୍ ପାରିତ ହେବା ପରେ ଗୃହର ପ୍ରକ୍ରିୟା ଅଧ ଘଣ୍ଟା ପାଇଁ ସନ୍ଧ୍ୟା 7.04 ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। 

ଯେଉଁ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ସେମାନେ ପୋଡିୟମ ସାମ୍ନାକୁ ଆସି କାଗଜ ପତ୍ର ଚିରି ଫୋପଡା ଫିଙ୍ଗି ଥିଲେ । ଏହାରି ମଧ୍ୟରେ ବଡ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ଏବଂ ଏନସିପି ନେତା ଶରଦ ପାୱାର । 

 ଖଡଗେ କହିଛନ୍ତି ଯେ ବିରୋଧ ସମୟରେ ସେଠାରେ ଉପସ୍ଥିତ ଥିବା କିଛି ମହିଳା ସୁରକ୍ଷା କର୍ମୀ ବିରୋଧୀ ଦଳର ମହିଳା ସଦସ୍ୟଙ୍କୁ ଅପମାନିତ କରିଥିଲେ।  ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିବାକୁ ପୋଡିୟମ ନିକଟକୁ ଆସିବା ପରେ ପୁରୁଷ ଏବଂ ମହିଳା ସୁରକ୍ଷା କର୍ମୀଙ୍କ ଘେରା କରି ଦିଆଯାଇଥାଏ। ସେ କହିଛନ୍ତି, “ଆମର ମହିଳା ସଦସ୍ୟ ବିରୋଧ କରିବାକୁ ଆସୁଛନ୍ତି … କିନ୍ତୁ କର୍ଡନ ତିଆରି କରାଯାଉଛି … ଏହା ଗଣତନ୍ତ୍ର ପାଇଁ ଅପମାନ।

ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି ଯେ ରାଜ୍ୟସଭାରେ ମହିଳା ସାଂସଦଙ୍କ ଉପରେ ଯେଉଁଭଳି ଆକ୍ରମଣ ହୋଇଛି, ତାହା ସେ 55 ବର୍ଷର ସଂସଦୀୟ କ୍ୟାରିୟରରେ କେବେ ଦେଖିନାହାଁନ୍ତି। 40 ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ବାହାରୁ ଗୃହ ଭିତରକୁ ଅଣାଯାଇଥିଲା । ଏହା ଯନ୍ତ୍ରଣାଦାୟକ ଅଟେ । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଶରଦ ।ପାୱାରଙ୍କ ଅଭିଯୋଗ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ । ବିରୋଧୀ ସଦସ୍ୟମାନେ ମହିଳା ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି କରିଥିବା ପାଲଟା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ।

Related Posts