ଭୁବନେଶ୍ୱର,୫/୮(ସତ୍ୟପାଠ ବ୍ୟୁରୋ): ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି l ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି l ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l
ସେହିପରି ଟେକ୍ନିକାଲ ସ୍କାନିଂ ଉପରେ ରାଜ୍ୟସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ l ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଯେକୌଣସି ବ୍ୟକ୍ତି ଶ୍ରୀମନ୍ଦିର ଜମି ଉପରେ ଯଦି ଲୋଲୁପ ଦୃଷ୍ଟି ପକାନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହ ଭୂ- ସମ୍ପତ୍ତି ପରିଚାଳନା ଅଧିନିୟମ ପାଇଁ ଆଲୋଚନା ହୋଇଛି । ଏନେଇ ସରକାରଙ୍କ ଅନୁମୋଦନ ପରେ କାର୍ୟ୍ୟକାରି କରାଯିବ । ଅଭଡ଼ା ଯୋଜନାରେ ଆସିଥିବା ୩୫ଟି ଏସି ମିନି ଇ-ବସ ଓଏସଆରଟିସିଙ୍କୁ ହସ୍ତାନ୍ତର କରାଯିବା ନେଇ ବେଠକରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଅର୍ପଣ ଚାଉଳ ନେଇ ସମ୍ପୃକ୍ତ ନିଯୋଗଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।