ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ତେବେ ତାଙ୍କ ସ୍ୱାମୀ ନିଖୋଜ ଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେ ପୁଲିସ୍ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ନୀତିନ ଦେଶମୁଖ ଶିବସେନାର ଜଣେ ସକ୍ରିୟ ସଦସ୍ୟ। ସେ ଗତ ନିର୍ବାଚନରେ ଦଳୀୟ ଟିକେଟରୁ ବାଲାପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। କିନ୍ତୁ ଏବେ ସେ ଏକନାଥଙ୍କ କଥାରେ ପଡ଼ି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଛି। ସ୍ୱାମୀ ବିଦ୍ରୋହ ଘୋଷଣା କରିଥିବା ବେଳେ ତାଙ୍କ ପତ୍ନୀ ପ୍ରାଞ୍ଜଳୀ ଅକୋଲା ପୁଲିସ୍ ଷ୍ଟେସନରେ ପହଞ୍ଚି ନିଖୋଜ ଅଭିଯୋଗ ଦାଖଲ କରିଛନ୍ତି।

ସେ ତାଙ୍କ ଅଭିଯୋଗପତ୍ରରେ ଲେଖିଛନ୍ତି ଯେ ଜୁନ ୨୦ ତାରିଖ ସନ୍ଧ୍ୟା ୭ଟାରେ ସେ ତାଙ୍କ ସ୍ୱାମୀ(ନୀତିନ ଦେଶମୁଖ)ଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ। ସେବେଠାରୁ ତାଙ୍କ ଫୋନ ସୁଇଚଅଫ ରହିଛି ଓ ତାଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ ହୋଇପାରୁନି। ସମ୍ଭବତଃ ଦେଶମୁଖଙ୍କ ଜୀବନ ପ୍ରତି ବିପଦ ରହିଥିବା ପ୍ରାଞ୍ଜଳୀ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଦେଶମୁଖ ସୁରତରେ ପହଞ୍ଚିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୁଲିସ୍ ପ୍ରାଞ୍ଜଳୀଙ୍କ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।