ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ; ଦୁଇ ଦିନ ହେଲାଣି ରାତି ଅଧରେ ଚାଲିଛି ଜିପିଆର ସର୍ଭେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ଚାରିପାଖରେ ଦୁଇ ଦିନ ହେଲାଣି ରାତି ଅଧରେ କରାଯାଉଛି ଜିପିଆର୍ ସର୍ଭେ। ହେଲେ କଥାଟା ଗତକାଲି ରାତିରେ ଜଣାପଡ଼ିଲା। ଯେତେବେଳେ ଏହି କାର‌୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପଚରାଗଲା, ସେମାନେ କହିଥିଲେ ଯେ ଏହା ଦ୍ୱିତୀୟ ଦିନ ପାଇଁ କରାଯାଉଛି। ଶୁକ୍ରବାର ରାତିରୁ ଏହାର ଆରମ୍ଭ ହୋଇଛି। ଆହୁରି ଦୁଇ ଦିନ କରାଯିବ। ରାତିରେ ଜିପିଆର ସର୍ଭେ କରିବାକୁ କୁହାଯାଇଥିବା ସେମାନେ ସୂଚନା ଦେଇଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ, ଓବିସିସିର ଚିଠି କ୍ରମେ ଗୁଜରାଟର ଗାନ୍ଧୀନଗର ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଇଛି। ଗାନ୍ଧୀ ନଗର ଆଇଆଇଟି ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଜିପିଆର ସର୍ଭେ କରୁଛି। ଆଉ ଦୁଇ ଦିନ ସର୍ଭେ କରିବା ପରେ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଗତକାଲି ଏହି କର୍ମଚାରୀମାନେ ରାତି ୧୨ଟା ପରେ ଏମାର ମଠ, କାକୁଡ଼ିଆଖାଇ ମନ୍ଦିର, ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରରୁ ପଶ୍ଚିମ ଦ୍ୱାର ପର‌୍ୟ୍ୟନ୍ତ ଜିପିଆର୍ ସର୍ଭେ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସମୟରେ ସେଠାରେ ଏଏସ୍‌ଆଇର କୌଣସି ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳି ନଥିଲା। ସେପଟେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସର୍ଭେ ନେଇ କିଛି ସୂଚନା ଦିଆଯାଇ ନଥିବା ବେଳେ ବିଳମ୍ବିତ ରାତିରେ ଏହି କାର‌୍ୟ୍ୟ କରାଯାଉଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts