ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ; ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କଲେ ସମ୍ୱିତ୍‌ ପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବଡ଼ଦାଣ୍ଡର ମରଚିକୋଟ ଛକଠାରୁ ମହାପ୍ରଭୁଙ୍କ ମୂର୍ତ୍ତି ଧରି ଚାଲି ଚାଲି ଆସିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଥିଲେ। ଏଏସଆଇର ବିନା ଅନୁମତିରେ ବେଆଇନ ଭାବେ ନିର୍ମାଣ କାର୍ୟ୍ୟ ହେଉଥିବାରୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ କାମ ଶୀଘ୍ର ଶେଷ ହେବା କଥା ପୁରୀ ବିଧାୟକ କହିଥିବା ବେଳେ ମହାପ୍ରଭୁଙ୍କ କାର୍ୟ୍ୟକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେବାୟତ କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ତଳେ ଏଏସଆଇର ୩ ଜଣିଆ ବିଶେଷଜ୍ଞ ଟିମ୍ ପୁରୀ ଆସି ଜିଲ୍ଲାପାଳ, ଓବିସିସି, ଶ୍ରୀମନ୍ଦିର ପ୍ରଶାସନ ସହ ମିଳିତ ଭାବେ ଯାଞ୍ଚ କରିବା ପରେ ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି। ଏନଏମଏ ର ଏନଓସି ପାଇବା ପରେ ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଉଛି। ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ଲକ୍ଷାଧିକ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି public amenities ଅନ୍ତର୍ଗତ ଶୌଚାଳୟ, କ୍ଲୋକ ରୁମ୍, ଆଶ୍ରୟସ୍ଥଳ ପ୍ରାଥମିକ ଭାବେ ନିର୍ମାଣ କରାଯାଉଛି। ହାଇକୋର୍ଟ ପ୍ରକଳ୍ପ କାର୍ୟ୍ୟ ବନ୍ଦ କରିବା ପାଇଁ କୌଣସି ସ୍ଥଗିତାଦେଶ ଦେଇନାହାନ୍ତି। କିନ୍ତୁ ଏସବୁ ପରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ଗତକାଲି ସାମ୍ବାଦିକ ସମ୍ମିଳନୀ କରିବା ପରେ ଆଜି ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ଗହଣରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Related Posts