‘ଏଲଏସିରେ ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି’: ତଓ୍ଵାଙ୍ଗ ସଂଘର୍ଷ ପରେ ମୁହଁ ଖୋଲିଲା ଚୀନ

ଭୁବନେଶ୍ୱର,୧୩/୧୨(ସତ୍ୟପାଠ ବ୍ୟୁରୋ): ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦର ଉଭୟ ଗୃହରେ ବିବୃତି ରଖିଛନ୍ତି। ଏହାପରେ ଚୀନ ମଧ୍ୟ ଏହି ଘଟଣା ଉପରେ ନିରବତା ଭାଙ୍ଗିଛି। ଚୀନ କହିଛି ଯେ, ବର୍ତ୍ତମାନ ଭାରତୀୟ ସୀମା ନିକଟରେ ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ପାଖାପାଖି ଦୁଇ ବର୍ଷ ପରେ ତଓ୍ଵାଙ୍ଗ ସେକ୍ଟରରେ ଦୁଇ ସେନା ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଭାରତୀୟ ସେନା ଚୀନର ୩୦୦ରୁ ଅଧିକ ସୈନିକଙ୍କୁ ଘଉଡାଇବା ସହ ନିଜ ପୋଷ୍ଟରେ ତ୍ରିରଙ୍ଗାକୁ ହଟାଇବାକୁ ଦେଇ ନାହାନ୍ତି।ଏଥିରେ ୬ ଭାରତୀୟ ଯବାନ ଏବଂ ୧୫ ଚୀନ ସୈନିକ ଆହତ ହୋଇଛନ୍ତି। ଏହି ଘଟଣା ଗତ ଡିସେମ୍ବର ୯ରେ ଘଟିଥିଲେ ମଧ୍ୟ ସୋମବାର ଏହି ଘଟଣା ସାମ୍ନାକୁ ଆସିଥିଲା।

ଏନେଇ ଭାରତୀୟ ସେନା କହିଛି ଯେ, ତଓ୍ଵାଙ୍ଗ ସେକ୍ଟରରେ ଭାରତୀୟ ପୋଷ୍ଟକୁ କବଜା କରିବା ଉଦ୍ଦେଶ୍ୟରେ ଚୀନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଅଚାନକ ଥିଲା ଏବଂ ଚୀନକୁ ଲାଗୁଥିଲା ଯେ, ୩୦୦ ସୈନିକ କଣ୍ଟାଯୁକ୍ତ ଲାଠି ଧରି ଯଦି ଭାରତୀୟ ସେନା ଉପରେ ଆକ୍ରମଣ କରିବେ ତେବେ ଗଲଓ୍ଵାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ପୁନରାବୃତ୍ତି ଘଟିପାରେ। ହେଲେ ଭାରତୀୟ ସେନା ଚୀନର ଏହି ହୀନ ଚକ୍ରାନ୍ତକୁ ପଣ୍ଡ କରିଛନ୍ତି। କିଛି ଘଣ୍ଟା ଧରି ଉଭୟ ସେନା ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଭାରତୀୟ ସେନା ଚୀନ ସୈନିକଙ୍କୁ ମାଡ ମାରି ଘଉଡାଇବା ସହ ନିଜ ପୋଷ୍ଟର ରକ୍ଷା କରିଛନ୍ତି।

ମୁହଁତୋଡ ଜବାବ ମିଳିବା ପରେ ଚୀନ ସୈନିକ ପଛଘୁଞ୍ଚା ଦେଇଛନ୍ତି। ଭାରତୀୟ ସେନାର ବୟାନ ଅନୁଯାୟୀ, ଆକ୍ରମଣରେ ୬ ଭାରତୀୟ ଏବଂ ଚୀନର ପ୍ରାୟ ୧୫ ସୈନିକ ଆହତ ହୋଇଛନ୍ତି। ଆହତ ଯବାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଵାଭାବିକ ରହିଛି। ଏହି ପୂରା ଘଟଣାକ୍ରମ ଉପରେ ମଙ୍ଗଳବାର ନିରବତା ଭାଙ୍ଗିଛି ଚୀନ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓ୍ଵାଙ୍ଗ ଓ୍ଵେନବିନ ଗୋଡିଏ ଧାଡିର ବୟାନରେ କେବଳ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି।

ଅନ୍ୟପଟେ ଚୀନ ପକ୍ଷରୁ ଜାରି ହୋଇଥିବା ଗୋଟିଏ ଧାଡିର ବୟାନରୁ ସ୍ପଷ୍ଟ ହୋଇଛି ଯେ, ତଓ୍ଵାଙ୍ଗ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ଚୀନକୁ ମହଙ୍ଗା ପଡିଛି। ଅନ୍ୟପକ୍ଷେ ଭାରତରେ ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହକୁ ଚୀନ ପ୍ରସଙ୍ଗକୁ ନେଇ ଖୁବ୍ ହଟ୍ଟଗୋଳ ହୋଇଛି।

Related Posts