ଆମେରିକାରେ ଟ୍ରକରୁ ମିଳିଲା ୪୬ଟି ମୃତଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାରେ ଟ୍ରକରୁ ମିଳିଲା ୪୬ଟି ମୃତଦେହ । ତେବେ ଆମେରିକା-ମେକ୍ସିକୋ ସୀମାବର୍ତ୍ତୀ ସାନ୍ ଆଣ୍ଟୋନିଓଠାରେ ଆଜି ଛିଡ଼ା ହୋଇଥିବା ଏକ କଣ୍ଟେନର ଟ୍ରକ୍ (ଟ୍ରେଲର)ରୁ ୪୬ଟି ମୃତ ଦେହ ଜବତ କରାଯାଇଛି । ଏହା ସହିତ ସେଥିରେ ଥିବା ଆଉ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିବା ଜଣାଯାଇଛି। ଏହି ଟ୍ରକର କଣ୍ଟେନରରେ ଆସୁଥିବା ସମସ୍ତ ବ୍ୟକ୍ତି ମେକ୍ସିକୋ ନାଗରିକ ବୋଲି ଜଣାପଡ଼ିଛି । ସେମାନଙ୍କୁ ବେଆଇନ ଭାବେ ଏକ କଣ୍ଟେନରରେ ଭର୍ତ୍ତି କରି ଆମେରିକାକୁ ଅଣାଯାଉଥିଲା । ସୋମବାର ସଂଧ୍ୟା ୬ଟା ବେଳେ ଟ୍ରକଟି ଏକ ନିର୍ଜନ ସ୍ଥାନରେ ଛିଡ଼ା ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକ କଣ୍ଟେନର ଭିତରୁ ଆର୍ତ୍ତ ଚିତ୍କାର ଶୁଣିବାକୁ ପାଇଥିଲେ । ଏହା ପରେ ସେ ଟ୍ରକ ନିକଟକୁ ଯାଇ ଯାହା ଦେଖିଲେ ସେଥିଲେ ତାଙ୍କର ହୋସ୍ ଉଡିଯାଇଥିଲା ।

ଭିତରେ ୪୬ଟି ମୃତଦେହ ପଡ଼ିରହିଛି ଓ ଆଉ ୧୬ ଜଣ ଜୀବିତ ଥିଲେ ବି ସେମାନଙ୍କ ଅବସ୍ଥା ବେଶ ସଂକଟାପନ୍ନ ରହିଛି । ପ୍ରବଳ ଗରମ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚିବା ପରେ ଅସୁସ୍ଥ ଲୋକମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତମ ଜୀବନ ଆଶାରେ ମେକ୍ସିକୋରୁ ପ୍ରତିବର୍ଷ ଶହ ଶହ ଲୋକ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି । ମାନବ ତସ୍କରମାନେ ସେମାନଙ୍କୁ ବେଆଇନ ଭାବେ କଣ୍ଟେନର ଭିତରେ ଭର୍ତ୍ତି କରି ଚାଲାଣ କରିଥାନ୍ତି। ଏହି ଚୋରା ଚାଲାଣ ପାଇଁ ସାନ୍ ଆଣ୍ଟୋନିଓକୁ ସର୍ବାଧିକ ବ୍ୟବହାର କରାଯାଇଥାଏ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts