ବିମୁଦ୍ରୀକରଣକୁ ପୁରିଲା ୬ ବର୍ଷ, ଏବେବି ଦେଶରେ ରେକର୍ଡ ସ୍ତରରେ ନଗଦ ଟଙ୍କା କାରବାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଦୁର୍ନୀତି ଓ କଳାଧନ ରୋକିବା ସହ ଦେଶରେ ନଗଦ କାରବାର ହ୍ରାସ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ ଘୋଷଣା କରିଥିଲେ । ଏହାଦ୍ବାରା ଅଚଳ ହୋଇଯାଇଥିଲା ସେତେବେଳେ ଚାଲୁଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ । ବଜାରକୁ ଆସିଥିଲା ନୂଆ ୨୦୦୦ ଟଙ୍କିଆ ନୋଟ । ଆଜି ବିମୁଦ୍ରୀକରଣ ବା ନୋଟବନ୍ଦୀକୁ ୬ ବର୍ଷ ପୂରଣ ହୋଇଛି । ହେଲେ ଯେଉଁ ଲକ୍ଷ୍ୟ ନେଇ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ସଫଳ ହୋଇନଥିବା କୁହାଯାଉଛି । ଏହାର ପ୍ରମାଣ ହେଉଛି ଏହି ଘୋଷଣାକୁ ୬ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଏବେବି ଦେଶରେ ବହୁଳ ମାତ୍ରାରେ ନଗଦ ଟଙ୍କା କାରବାର ହେଉଛି ।

ତେବେ ବିମୁଦ୍ରୀକରଣର ଉଦ୍ଦେଶ୍ୟ ଥିଲା ଭାରତକୁ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିର ପରିଣତ କରିବା । ହେଲେ ବିମୁଦ୍ରୀକରଣର ୬ ବର୍ଷ ପରେ ମଧ୍ୟ ଦେଶର ଲୋକମାନଙ୍କ ପାଖରେ ପାଖାପାଖି ରେକର୍ଡ ୩୧ ଲକ୍ଷ କୋଟି ଟଙ୍କାର ନଗଦ ରାଶି ରହିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ୨୦୨୨ ଅକ୍ଟୋବର ୨୧ ସୁଦ୍ଧା ଦେଶବାସୀଙ୍କ ନିକଟରେ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ରହିଛି । ଯାହା ଦର୍ଶାଉଛି ଯେ, ନୋଟବନ୍ଦୀର ଏତେ ବର୍ଷ ପରେ ମଧ୍ୟ ନଗଦ ରାଶିର କାରବାରରେ ବଡ ଧରଣର ବୃଦ୍ଧି ହୋଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ୨୦୧୬ ନଭେମ୍ବର ୪ ଅର୍ଥାତ୍ ୬ ବର୍ଷ ପୂର୍ବେ ଯେତେବେଳେ ବିମୁଦ୍ରୀକରଣ ଘୋଷଣା ହୋଇଥିଲା, ସେତେବେଳେ ଲୋକମାନଙ୍କ ନିକଟରେ ୧୭.୭ ଲକ୍ଷ କୋଟି ନଗଦ ରହିଥିଲା । ହେଲେ ଚଳିତ ବର୍ଷ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଲୋକମାନଙ୍କ ନିକଟରେ ନଗଦ ରାଶି ୩୦.୮୮ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ତେବେ ଦେଶର ୭୬ ପ୍ରତିଶତ ଲୋକ ଫୁଡ୍ ଡେଲିଭର ଓ ଗ୍ରୋସରୀ ସାମଗ୍ରୀ କିଣିବାରେ ଏହି ନଗଦ ରାଶିର ବ୍ୟବହାର କରୁଥିବା ସର୍ଭେରୁ ଜଣାପଡିଛି ।

ତେଣୁ ମୋଦି ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ଦ୍ବାରା ବିଶେଷ ଲାଭ ସାଧିତ ହୋଇପାରି ନଥିବା କୁହାଯାଉଛି । ଅବଶ୍ୟ ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରର ବଡଧରଣର ବୃଦ୍ଧି ହୋଇଥିବା କଥାକୁ ଅସ୍ବୀକାର କରାଯାଇ ନପାରେ । ତଥାପି ଭାରତୀୟ ଅର୍ଥବ୍ୟବସ୍ଥାରେ ନଗଦ ରାଶିର ବ୍ୟବହାର ଲଗାତାର ବୃଦ୍ଧି ପାଉଛି ।

Related Posts