
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରପାରିରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ଦୀର୍ଘ ୪୨ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଛନ୍ତି ରାଜୁ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୧୦ ତାରିଖରେ ରାଜୁ ଜିମରେ ବ୍ୟାୟାମ୍ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା ।ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।
ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଖବର ଆସିଥିଲା । ପରିବାର ଲୋକେ ଏବଂ ତାଙ୍କୁ ଶୁଭେଚ୍ଛୁ ଆଶା କରିଥିଲେ ପୁଣିଥରେ ରାଜୁ ରିଅଲ ଲାଇଫକୁ ଫେରିବେ ଆଉ ଲୋକଙ୍କୁ ହସାଇବେ। କିନ୍ତୁ ଏବେ ସେ ସମସ୍ତଙ୍କୁ ଭୁଲି ଅଫେରା ରାଇଜକୁ ଚାଲଯାଇଛନ୍ତି। କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ ଏବଂ ସେ ସେହି ହୋଟେଲରେ ଥିବା ଜିମରେ ବ୍ୟାୟାମ କରୁଥିଲେ। ବ୍ୟାୟାମ ସମୟରେ ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବା ପରେ ତଳେ ପଡିଯାଇଥିଲେ। ରାଜୁଙ୍କୁ ଏହାପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଜଣାପଡିଥିଲା ରାଜୁଙ୍କୁ ହୃଦଘାତ ହୋଇଛି।
ସେ ତଳେ ପଡ଼ିଯିବା ପରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଥିଲା। ହୃଦଘାତ ହେବା ପରେ ତାଙ୍କ ମସ୍ତିଷ୍କ ଅଧିକ ପ୍ରଭାବିତ ହୋଇଥିଲା। ଡାକ୍ତରମାନେ କହିଥିଲେ ଯେ ରାଜୁଙ୍କ ଚେତା ଫେରି ପାଇବାକୁ ସମୟ ଲାଗିପାରେ। ଡାକ୍ତରଙ୍କ କହିବା ଅନୁଯାୟୀ ରାଜୁ ଶ୍ରୀବାସ୍ତବଙ୍କ ବ୍ରେନରେ ପାଣି ଜମିଥିବାରୁ ତାଙ୍କ ବ୍ରେନ ଆଉ କାମ କରୁନଥିଲା। କେବଳ ରାଜୁ ଶ୍ରୀବାସ୍ତବଙ୍କ ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିଲା । କିନ୍ତୁ ଶରୀରର ବାକି ଅଙ୍ଗ କାମ କରୁନଥିଲା। ସେ କେବଳ ନିସ୍ତେଜ ହୋଇ ପଡ଼ି ରହିଥିଲେ।