ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଚାଟ କରି ଡିଜିଟାଲ ସୁନ୍ଦରୀମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି । ଏନେଇ ପ୍ରତ୍ୟେକ ଦିନ ଶହ ଶହ ଅଭିଯୋଗ ସାମ୍ନାକୁ ଆସୁଛି । ତେବେ ସୋସିଆଲ ମିଡିଆ ପ୍ରୋଫାଇଲରେ ସୁନ୍ଦରୀ ଝିଅଙ୍କ ଫଟୋ ରଖିଥାନ୍ତି ସାଇବର ଠକ । ଏହାପରେ ଝିଅଙ୍କ ଫେସବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଏଷ୍ଟ ପଠାଇଥାନ୍ତି । ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ଅନ୍ୟାନ୍ୟ ଚାଟିଂ ଆକାଉଣ୍ଟରେ ଥିବା ସୁନ୍ଦରୀ ଝିଅଙ୍କ ଫଟୋ ଦେଖି ଉକ୍ତ ବ୍ୟକ୍ତି ଜଣଙ୍କ ଫ୍ରେଣ୍ଡ ରିକ୍ୱେଏଷ୍ଟ ଆକସେପ୍ଟ କରିଥାନ୍ତି । ପରେ ମେସେଞ୍ଜରରେ ଦୁଇ ଜଣଙ୍କ ଭିତରେ ବନ୍ଧୁତା ହୋଇଯାଏ । ଆଉ ସେହି ବନ୍ଧୁତା କ୍ରମେ ନିବିଡ ସମ୍ପର୍କରେ ପରିଣତ ହୋଇଯାଏ ।
ଆଉ ଏହି ସମ୍ପର୍କରୁ ଆରମ୍ଭ ହୁଏ ଲୁଟ୍ । ଦୁଇ ପକ୍ଷ ମଧ୍ୟରେ ହ୍ୱାଟ୍ସଆପ୍ ନମ୍ବର ନେଣଦେଣ ହୁଏ । କିଛି ଦିନ ପରେ ଆରମ୍ଭ ହୁଏ ଅଶ୍ଳୀଳ ଚାଟିଂ । ଅଡିଓ ଏବଂ ତା ପରେ ଭିଡିଓ ଚାଟିଂ କରିବାକୁ ଡିଜିଟାଲ ସୁନ୍ଦରୀମାନେ ଅନୁରୋଧ କରନ୍ତି । ଏହି ଭିଡିଓ ଚାଟିଂକୁ ଟାର୍ଗେଟ କରି ଲୁଟ ଆରମ୍ଭ କରନ୍ତି ସାଇବର ଠକ । ନିଜ ମୋବାଇଲ ଫୋନରେ ସଫ୍ଟୱେର ଜରିଆରେ ସ୍କ୍ରିନ ରେକର୍ଡିଂ କରନ୍ତି । ପରେ ବ୍ଲାକମେଲିଂ କରିବା ସହ ଟଙ୍କା ମାଗନ୍ତି । ଟଙ୍କା ନ ଦେଲେ ପରିବାର ଲୋକ, ବନ୍ଧୁ ପରିଜନ ଏବଂ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକ ଦେଇଥାନ୍ତି ଏହି ଠକମାନେ ।





