ନୂଆ ଆଇଟି ନିୟମକୁ ନେଇ ସୋସିଆଲ ମିଡ଼ିଆ କମ୍ପାନି ଓ ଭାରତ ସରକାର ମୁହାଁମୁହିଁ : ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ହ୍ବାଟସ୍ଆପ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ସରକାରଙ୍କ ନୂଆ ସୋଶାଲ ମିଡିଆ ନିୟମକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ସୋସିଆଲ ମିଡ଼ିଆ କମ୍ପାନୀ ହ୍ୱାଟସଆପ୍ ଏବଂ ସରକାର। ଭାରତ ସରକାରଙ୍କ ଏହି ନୂଆ ନିୟମକୁ ବିରୋଧ କରି ହ୍ୱାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭାରତ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନୂଆ ନିୟମ ଉପରେ ରୋକ୍ ଲଗାଇବା ପାଇଁ ହ୍ୱାଟସଆପ୍ କୋର୍ଟରେ ଆବେଦନ କରିଛି। ଏହି ଆବେଦନ ଜରିଆରେ ହ୍ୱାଟସଆପ୍ କହିଛି ନୂଆ ନିୟମ ଦ୍ୱାରା ୟୁଜରଙ୍କ ଗୋପନୀୟତା ପ୍ରଭାବିତ ହେବ। ଯାହାକି ସମ୍ବିଧାନର ଧାରା ୧୪ ଏବଂ ୨୧ ର ଉଲଂଘନ କରୁଛି। ଏହା ଦ୍ବାରା ୪୦୦ ମିଲିୟନରୁ ଅଧିକ ୟୁଜର ପ୍ରଭାବିତ ହେବେ। ଅପରପକ୍ଷରେ କେନ୍ଦ୍ର ସରକାର ସୋସିଆଲ ମିଡ଼ିଆ କମ୍ପାନୀକୁ ନିଜର ସୀମା ଭିତରେ ରହିବାକୁ ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରାଳୟ କହିଛି ଯେ କେନ୍ଦ୍ର ସରକାର ଗୋପନୀୟତା ଅଧିକାରକୁ ସମ୍ମାନ କରନ୍ତି। ଏ ସମ୍ପର୍କରେ କଂପାନି ପକ୍ଷରୁ କୁହାଯାଇଛି ଯେ ନୂଆ ନିୟମରେ ୟୁଜର ମାନେ କରୁଥିବା ଚାଟ୍‌ ବା ବାର୍ତ୍ତାଳାପର ଉତ୍ସ ଜଣାଇବାକୁ କୁହାଯାଇଛି। ଏହାର ଅର୍ଥ ଏହା ହେଉଛି ଯେ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ ସମ୍ପୂର୍ଣ୍ଣ ‌ବନ୍ଦ ହୋଇଯିବ। ଗୋପନୀୟତାକୁ ନେଇ ଲୋକମାନଙ୍କର ଯେଉଁ ମୌଳିକ ଅଧିକାର ରହିଛି ତାହାର ଉଲ୍ଲଘଂନ ହେବ ବୋଲି କଂପାନି କହିଛି। ସୂଚନାଯୋଗ୍ୟ, ଏହି ଫେବ୍ରୁଆରି ମାସରେ କେନ୍ଦ୍ର ସରକାର ଏକ ନୂଆ ସୂଚନା ପ୍ରଯୁକ୍ତି ନିୟମ ଘୋଷଣା କରିଥିଲେ। ତାହାକୁ ଲାଗୁ କରିବା ପାଇଁ ସୋସିଆଲ ମିଡ଼ିଆ କଂପାନିଗୁଡ଼ିକୁ ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ଶେଷ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ତେବେ ସମୟସୀମା ଶେଷ ହୋଇଥିବା ବେଳେ ନିୟମ ଲାଗୁ ହୋଇଛି। ସୋସିଆଲ ମିଡିଆରେ ହେଉଥିବା ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ଲାଗି ସୋସିଆଲ ମିଡ଼ିଆ କଂପାନିଗୁଡ଼ିକର ସେଭଳି କିଛି ନିଜସ୍ବ ନିୟମ ନାହିଁ। ନୂଆ ନିୟମ ଲାଗୁ ହୋଇଥିବା ବେଳେ ଫେସବୁକ୍, ଟ୍ବିଟର୍‌, ହ୍ବାଟସ୍‌ଆପ୍, ଇନଷ୍ଟାଗ୍ରାମ୍, ଗୁଗୁଲ୍‌ ଭଳି ସଂସ୍ଥା ଏକ ସହଯୋଗୀ କଂପାନିର ଆଇନଗତ ବୈଧତା ହରାଇଛନ୍ତି। ତେବେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି ଯେ ଯଦି ହ୍ୱାଟସଆପକୁ କୌଣସି ଭାଇରାଲ ବା ଫେକ ନ୍ୟୁଜର ଉତ୍ସ କେଉଁଠି ଆସୁଛି ଏହାର ଉତ୍ତର ମଗାଯାଏ ତେବେ ଏହାର ଅର୍ଥ ନୁହେଁ ଯେ ୟୁଜରଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ କରିବା। ତେବେ ଏଭଳି ନିୟମ ଲାଗୁ କରିବାରେ ଭାରତ ଏକାମାତ୍ର ଦେଶ ନୁହେଁ ଏହା ପୂର୍ବରୁ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ଓ ନ୍ୟୁଜିଲ୍ୟାଣ୍ଡ ସରକାର ସୋସିଆଲ ମିଡ଼ିଆ କମ୍ପାନି ଗୁଡିକ ପାଇଁ ଏଭଳି ନିୟମ ଲାଗୁ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି ।

Related Posts