(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଲୋପାଥିକ୍ ବିରୋଧରେ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି ଯୋଗଗୁରୁ ରାମଦେବ । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଏବଂ ରାମଦେବଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ରାମଦେବ ଭ୍ରାମକ ଓ ମିଥ୍ୟା ତଥ୍ୟ ପ୍ରଚାର କରୁଥିବାରୁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଇଏମଏ ଚିଠି ଲେଖିଛି । ଚିଠିରେ ଲେଖାଅଛି ଯେ , “ଆମେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର୍ ବା ନ୍ୟାସନାଲ୍ ଟାସ୍କ ଫୋର୍ସ ପକ୍ଷରୁ ଜାରି ଗାଇଡଲାଇନ୍ ମୁତାବକ ହସ୍ପିଟାଲରେ ଲକ୍ଷ ଲକ୍ଷ ଲୋକଙ୍କ ଚିକିତ୍ସା କରୁଛୁ । ଆଉ ଯଦି କେହି ଦାବି କରୁଛି ଯେ, ଏଲୋପାଥିକ୍ ମେଡିସିନ୍ ଯୋଗୁଁ ରୋଗୀମାନେ ପ୍ରାଣ ହରାଉଛନ୍ତି ତେବେ ଏହା ମନ୍ତ୍ରାଳୟକୁ ଏକ ପ୍ରକାର ଚ୍ୟାଲେଞ୍ଜ ଭଳି ।” ଆଇଏମ୍ଏ ଚିଠିରେ ଉଲ୍ଲେଖ କରିଛି ଯେ କରୋନା ଯୁଦ୍ଧରେ ସମ୍ମୁଖ ଯୋଦ୍ଧା ହୋଇ ଲଢୁଥିବା ଆମର ଡାକ୍ତର ମାନଙ୍କ ମଧ୍ୟରୁ ପ୍ରଥମ ଲହରରେ ୭୫୩ ଏଵଂ ଦ୍ବିତୀୟ ଲହରରେ ୫୧୩ ଜଣ ଡାକ୍ତରଙ୍କୁ ହରାଇଛୁ ।ସେମାନଙ୍କ ମଧ୍ୟରୁ ଅନେକ କୌଣସି କାରଣରୁ ଦ୍ବିତୀୟ ଡୋଜ ଟିକା ମଧ୍ୟ ନେଇପାରି ନଥିଲେ। ପତଞ୍ଜଳି ମାଲିକ ରାମଦେବ ଟୀକାକରଣ କୁ ନେଇ ଯେଉଁ ଭ୍ରାମକ ତଥ୍ୟ ପ୍ରଚାର କରୁଛନ୍ତି ତାକୁ ବନ୍ଦ କରାଯିବା ଉଚିତ୍ । ଏବଂ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।”
ଏହା ପୂର୍ବରୁ ରାମଦେବଙ୍କ ନାଁରେ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ର ଉତ୍ତରଖଣ୍ଡ ଶାଖା ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି। ଏହି ନୋଟିସ୍ରେ ‘ଆଇଏମ୍ଏ ଉତ୍ତରାଖଣ୍ଡ’ ଲେଖିଛି ଯେ, ଏଲୋପାଥି ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ରାମଦେବ ଯଦି ଭିଡିଓ ବାର୍ତ୍ତା ଜାରି ନ କରନ୍ତି କିମ୍ବା ୧୫ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରନ୍ତି ତେବେ ତାଙ୍କ ଠାରୁ ୧୦୦୦ କୋଟି ଟଙ୍କା ଦାବି କରାଯିବ।ଏତଦ୍ ବ୍ୟତୀତ , ‘ଆଇଏମ୍ଏ’ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ଙ୍କୁ ରାମଦେବ ଏଲୋପାଥି ବିରୋଧରେ ଦେଇଥିବା ମନ୍ତବ୍ୟ କୁ ନେଇ ପତ୍ର ଲେଖିଛନ୍ତି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଆଇଏମଏ ଉତ୍ତରାଖଣ୍ଡ ଶାଖାର ସଭାପତି ଡକ୍ଟର ଅଜୟ ଖାନ୍ନା କହିଛନ୍ତି ଯେ ,” ରାମଦେବଙ୍କର ଏଲୋପାଥିକ ଚିକିତ୍ସା ଉପରେ କୌଣସି ଜ୍ଞାନ ନାହିଁ ସେ ଭ୍ରାମକ ଏବଂ ମିଥ୍ୟା ତଥ୍ୟ ଦେଉଛନ୍ତି। ମୁଁ ବାବା ରାମଦେବଙ୍କ ସହ ଡିବେଟ୍ ପାଇଁ ପ୍ରସ୍ତୁତ ଅଛି। ” ସେ ରାମଦେବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାମଦେବଙ୍କ ମନ୍ତବ୍ୟ କୋଭିଡ୍ ବିରୋଧୀ ଲଢେଇରେ ଦିନରାତି କାର୍ଯ୍ୟ କରୁଥିବା ଡାକ୍ତରଙ୍କ ମନୋବଳକୁ ହ୍ରାସ କରିଛି । ରାମଦେବ ତାଙ୍କ ଔଷଧ ବିକ୍ରୟ ପାଇଁ ଏଭଳି ମିଥ୍ୟା ମନ୍ତବ୍ୟ ଦେଉଛନ୍ତି ବୋଲି ସେ କହୁଛନ୍ତି। ସୂଚନାଯୋଗ୍ୟ , ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାମଦେବ କହିଥିଲେ, ଏଲୋପାଥି ହେଉଛି ‘ ଷ୍ଟୁପିଡ୍ ସାଇନ୍ସ(ନିର୍ବୋଧ ବିଜ୍ଞାନ)’ ଏବଂ କୋଭିଡ୍ ରେ ଯେତେସଂଖ୍ୟକ ରୋଗୀଙ୍କ ମୃତ୍ୟୁ ହୋଇ ନାହିଁ , ଏଲୋପାଥି ଔଷଧ ଖାଇ ତା’ଠାରୁ ଅଧିକ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଛନ୍ତି। ଏଭଳି ମନ୍ତବ୍ୟ ସେ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ନଚେତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲା । କେନ୍ଦ୍ରମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ବାବା ରାମଦେବଙ୍କୁ କଠୋର ସମାଲୋଚନା କରି ଥିଲେ। ଏହାଦ୍ୱାରା ଦିନରାତି କାମ କରୁଥିବା ଦେଶର ଲକ୍ଷ ଲକ୍ଷ ଏଲୋପାଥିକ ଡକ୍ଟରଙ୍କ ମନୋବଳ ହ୍ରାସ ପାଇଛି ବୋଲି ସେ ଟୁଇଟ କରି ଥିଲେ। ଏହା କେବଳ ଡାକ୍ତର ନୁହେଁ ସମଗ୍ର ଦେଶବାସୀଙ୍କ ଭାବନାକୁ କୁଠାରଘାତ ବୋଲି ସେ କହିଥିଲେ। ତେବେ ଚିଠି ପାଇବା ପରେ ଏଲୋପାଥି ଚିକିତ୍ସା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଥିବା ନେଇ ଏକ ରାମଦେବ ଚିଠି ଲେଖିଥିଲେ ।