ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିଭାଷଣ ଦେଇ ସିନ୍ଦେ କହିଛନ୍ତି ଯେ ପାୱାର, ଫଡନବିସ ଓ ମୋତେ ଏକ ସାଙ୍ଗରେ ଦେଖି କିଛି ଲୋକଙ୍କ ରାତିରେ ନିଦ ହୁଏତ ଉଡିଯିବ। ସେ ପରୋକ୍ଷରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ କଟାକ୍ଷ କରିଛନ୍ତି।

ସୂଚନା ଅନୁସାରେ, ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଆଶିଷ ଶେଲାରଙ୍କ ସହ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ନିର୍ବାଚନ କୁ ନେଇ ଏକାଠି ହୋଇଥିଲେ। ଏମସିଏ ନିର୍ବାଚନ ପୂର୍ବରୁ ଏକ ବିଶେଷ ରାତ୍ରି ଭୋଜନରେ ସମସ୍ତ ନେତାଙ୍କୁ ଦେଖିବାକୁ ମିଳିଥିଲା।

ଏହି ଅବସରରେ ଏକନାଥ ସିନ୍ଦେ ନିଜର ଅଭିଭାଷଣରେ ଯଦିଓ କାହାର ନାମ ନେଇ ନାହାଁନ୍ତି, କିନ୍ତୁ ତାଙ୍କ ବିବୃତ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ବୋଲି ଜଣାପଡିଛି। ଏହି ଅବସରରେ ସିନ୍ଦେ କହିଛନ୍ତି, ଗୋଟିଏ ମଞ୍ଚରେ ପାୱାର, ଫଡନବିସ୍ ଓ ମୋତେ ଦେଖି କିଛି ଲୋକଙ୍କ ନିଦ ଉଡ଼ିଯାଇପାରେ। କିନ୍ତୁ ଏହା ରାଜନୀତି କରିବାର ସ୍ଥାନ ନୁହେଁ। ଆମେ ସମସ୍ତେ ଖେଳର ପ୍ରଶଂସକ ଏବଂ ସମର୍ଥକ। ସେଥିପାଇଁ ଆମର ରାଜନୈତିକ ମତଭେଦ ସତ୍ତ୍ୱେ ଖେଳର ବିକାଶ ପାଇଁ ଆମେ ଏକାଠି ହୋଇଛୁ ବୋଲି ସେ କହିଛନ୍ତି।

ତେବେ ସିନ୍ଦେ ଦଳ ଦ୍ୱାରା ବିଦ୍ରୋହ ହେତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଗାଡି (MVA) ସରକାର ହଟିଯାଇଛି। ୫୫ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସହ ସିନ୍ଦେଙ୍କ ବିଦ୍ରୋହ ମଧ୍ୟ ଦଳରେ ବିଭାଜନ ସୃଷ୍ଟି କରିଥିଲେ। ଏହା ପରେ ଏକନାଥ ସିନ୍ଦେ ବିଜେପି ସହ ସହଯୋଗ କରିଥିଲେ। ଏକନାଥ ସିନ୍ଦେ ସିଏମ୍ ଓ ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦ରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ପାଞ୍ଚ ପଦବୀ, ଏମସିଏର ୯ ଜଣ କାଉନସିଲର ଓ ଟି-୨୦ ଜେନେରାଲ କାଉନସିଲର ଦୁଇଜଣ ପ୍ରତିନିଧୀଙ୍କ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ନିର୍ବାଚନରେ ​​ଠାକରେଙ୍କ ଘନିଷ୍ଠ ସହଯୋଗୀ ମିଲିନ୍ଦ ନରଭେକର ଓ ଏନସିପି ନେତା ଜିତେନ୍ଦ୍ର ଆହାଦ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପାୱାର ଓ ନବନିଯୁକ୍ତ ବିସିସିଆଇ କୋଷାଧ୍ୟକ୍ଷ ତଥା ବିଜେପିର ଆଶିଷ ଶେଲାର ପ୍ୟାନେଲରୁ ନାମାଙ୍କନ ଦାଖଲ କରିଛନ୍ତି।