ରାଷ୍ଟ୍ରପତ୍ନୀ ବିବାଦ ନେଇ ସଂସଦ ଠାରୁ ବିଧାନସଭା ସବୁଆଡେ ପ୍ରତିବାଦ, ଘଟଣାକୁ ନେଇ ସଫେଇ ରଖିଲେ ସୋନିଆ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ଅଧୀର ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନକୁ ନେଇ ଆଜି ସଂସଦ ଠାରୁ ବିଧାନସଭା ସବୁଆଡେ ମାହୋଲ ସରଗରମ ଥିଲା। ସବୁଆଡେ ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ପ୍ରତିବାଦ କରାଯାଇଛି। ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ମାନେ ଏହି ପ୍ରସଙ୍ଗ ଉଠାଇ ଜୋରଦାର ହଙ୍ଗାମା କରିଥିଲେ।ଶୂନ୍ୟ କାଳରେ ଏ ପ୍ରସଙ୍ଗ ଉଠାଇବାକୁ ବାଚସ୍ପତି କହିଥିଲେ ମଧ୍ୟ ବିରୋଧୀ ବିଜେପି ବିଧାୟକ ମାନେ ମାନି ନଥିଲେ। ଫଳରେ ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି।

ସେପଟେ ଏହି ଘଟଣାରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି,” ଅଧୀର ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରିବା ଦେଶ ପାଇଁ ଅପମାନ। ଜଣେ ଓଡ଼ିଆଙ୍କୁ ଦେଶ ରାଷ୍ଟ୍ରପତି ରୂପେ ସୁଯୋଗ ଦେଇଛି। ଜଣେ ଆଦିବାସୀ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ବସିଛନ୍ତି। ଓଡ଼ିଆ ସ୍ୱାଭିମାନକୁ ଅପମାନ ପହଞ୍ଚାଇଛନ୍ତି । ଏଥିପାଇଁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ। ଓ ଅଧିର ଚୌଧୁରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ”। ବିଜେଡି ବିଧାୟକ ରାଜକିଶୋର ଦାସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଅଧୀର ଚୌଧୁରୀଙ୍କ ମୁହଁରୁ ଏପରି ଶବ୍ଦ ବାହାରିବା ଉଚିତ ହୋଇନି। ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କୁହାଯାଇଛି। କଂଗ୍ରେସ ବିଧାୟକ ରାଜନ୍ ଏକାଙ୍କ କହିଛନ୍ତି ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ଅଛି। ଅଧିର ରଞ୍ଜନ ଏପରି କାହିଁକି କହିଲେ ପରବର୍ତ୍ତୀ ମୁହୂର୍ତ୍ତରେ ଜଣା ପଡ଼ିବ।

ଅନ୍ୟପଟେ ଏହି ଘଟଣାକୁ ନେଇ ଲୋକସଭାରେ ମଧ୍ୟ ହଙ୍ଗମା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସିଧା ସଳଖ ଏହି ଘଟଣାରେ ସୋନିଆ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ଓ ସୋନିଆ ଏନେଇ କ୍ଷମା ମାଗିବାକୁ ଦାବି କରିଛନ୍ତି। ତେବେ ଗୃହରେ ବିଜେପି ସଦସ୍ୟଙ୍କ ହଙ୍ଗାମା ଫଳରେ ଲୋକସଭାକୁ ମଧ୍ୟ ମୁଲତବୀ ଘୋଷଣା କରାଯାଇଛି। ସେପଟେ ସୋନିଆ ଗାନ୍ଧି ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅଧିର ଏହି ଘଟଣାରେ କ୍ଷମା ମାଗି ସାରିଛନ୍ତି।

Related Posts