ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି ଖୁବ୍ ଶୀଘ୍ର ଏକ ଜାତୀୟ ଦଳ ରୂପେ ମାନ୍ୟତା ହାସଲ କରିବ। କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଆପ ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତେବେ ନିର୍ବାଚନ କମିଶନ ଆପକୁ ଗୋଆରେ ଏକ ସ୍ଵୀକୃତି ପ୍ରାପ୍ତ ଆଞ୍ଚଳିକ ଦଳର ମାନ୍ୟତା ଦେବା ପରେ କେଜ୍ରିୱାଲ ଦଳର ସ୍ଵେଚ୍ଛାସେବୀ ମାନଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ଏହା ସହ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
କେଜ୍ରିୱାଲ ନିଜ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ଲେଖିଛନ୍ତି “ଦିଲ୍ଲୀ ଏବଂ ପଞ୍ଜାବ ପରେ, ଆପ ବର୍ତ୍ତମାନ ଗୋଆରେ ମଧ୍ୟ ଏକ ଆଞ୍ଚଳିକ ଦଳର ମାନ୍ୟତା ହାସଲ କରିଛି। ଆମେ ଆଉ ଗୋଟିଏ ରାଜ୍ୟରେ ଆଞ୍ଚଳିକ ଦଳର ମାନ୍ୟତା ହାସଲ କଲେ ଆମକୁ ସରକାରୀ ଭାବରେ ଜାତୀୟ ଦଳ ରୂପେ ଘୋଷିତ କରାଯିବ। ମୁଁ ଦଳର ପ୍ରତ୍ୟେକ ସ୍ଵେଚ୍ଛାସେବୀ ମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଉଛି। ମୁଁ ଆପ ଓ ଏହାର ଆଦର୍ଶରେ ବିଶ୍ୱାସ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି ।”
ସୂଚନା ଯୋଗ୍ୟ ଯେ, ଆମ ଆଦମୀ ପାର୍ଟି ୨୦୧୨ ରେ ଲୋକପାଳ ଆନ୍ଦୋଳନ ପରେ ପ୍ରତିଷ୍ଠା ହୋଇଥିଲା। ଏହାପରେ ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଦ୍ଵିତୀୟ ବୃହତ୍ତମ ଦଳ ରୂପେ ଉଭା ହୋଇଥିଲା ଓ କଂଗ୍ରେସ ସମର୍ଥନରେ ୪୯ ଦିନ ପାଇଁ ଦିଲ୍ଲୀରେ ସରକାର ଚଳାଇଥିଲା। କଂଗ୍ରେସ-ଆପ ସରକାର ଦିଲ୍ଲୀରେ ଭାଙ୍ଗିବା ପାରେ ପୁଣି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସର୍ବବୃହତ ଦଳ ରୂପେ ନିର୍ବାଚିତ ହୋଇ ଏକାକୀ ସରକାର ଗଠନ କରିଥିଲା ଆପ। ଏହାପରେ ଦିଲ୍ଲୀରେ ଦୁଇ ଦୁଇ ଥର ସରକାର ଗଠନ କରି ସାରିଲାଣି ଦଳ। ଇତି ମଧ୍ୟରେ ପଞ୍ଜାବରେ କଂଗ୍ରେସକୁ ହରାଇ ସେଠାରେ ମଧ୍ୟ ସରକାର ଗଠନ କରିଛି ଆପ। ତେବେ ଆମ ଆଦମୀ ପାର୍ଟି ର ନଜର ଏବେ ରହିଛି ହିମାଚଳ ପ୍ରଦେଶ ଓ ଗୁଜୁରାଟ ନିର୍ବାଚନ ଉପରେ। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଆଉ ଗୋଟିଏ ରାଜ୍ୟରେ ଆପ ଆଞ୍ଚଳିକ ଦଳର ମାନ୍ୟତା ପାଇଲେ ଏହା ଏକ ଜାତୀୟ ଦଳରେ ଗଣା ହେବ।
ଉଲ୍ଲେଖ ଯୋଗ୍ୟ ଯେ, ଯେ କୌଣସି ୪ ଟି ରାଜ୍ୟରେ ଗତ ବିଧାନସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ୍ ସହିତ ଗତ ଲୋକସଭା ନିର୍ବାଚନରେ ୪ ଟି ସିଟ୍ ବିଜୟୀ ହେଲେ କିମ୍ବା ସମସ୍ତ ଲୋକସଭା ଆସନର ୨% ଆସନ ସହିତ ଅତି କମରେ ୩ ଟି ରାଜ୍ୟରୁ ସାଂସଦ ନିର୍ବାଚିତ ହୋଇଥିଲେ ନଚେତ୍ ଅତି କମରେ ୪ଟି ରାଜ୍ୟରେ ଏକ ଆଞ୍ଚଳିକ ଦଳ ଭାବରେ ସ୍ୱୀକୃତି ପାଇଥିଲେ ଏକ ରାଜନୈତିକ ଦଳ ଭାରତରେ ଜାତୀୟ ଦଳ ରୂପେ ସ୍ବୀକୃତି ପାଇଥାଏ। ଏହି ନିୟମ କୁ ନଜରକୁ ନେଲେ ଆପ ବର୍ତ୍ତମାନ ୩ଟି ରାଜ୍ୟରେ ଆଞ୍ଚଳିକ ଦଳର ମାନ୍ୟତା ହାସଲ କରି ସାରିଛି। ତେବେ ଭାରତର ଆଉ ଯେକୌଣସି ଗୋଟିଏ ରାଜ୍ୟରେ ଆପ ଆଞ୍ଚଳିକ ଦଳର ମାନ୍ୟତା ହାସଲ କଲେ ଏହା ଏକ ଜାତୀୟ ଦଳର ମାନ୍ୟତା ପାଇବ।
