BCCIରେ ଦାଦାଗିରି

ସତ୍ୟପାଠ ସ୍ପୋର୍ଟ୍ସ ଡେସ୍କ: ବିସିସିଆଇର ପରବର୍ତ୍ତୀ ସଭାପତି ହେବେ ଦାଦା । ଏକ ନାଟକୀୟ ଘଟଣାକ୍ରମେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତ୍ତୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ସଂପାଦକ ପଦ ମିଳିବ। ବିସିସିଆଇର କୋଷାଧ୍ୟକ୍ଷ ପଦରେ ବସିପାରନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମଲ । ଏଥିନେଇ ଆନୁଷ୍ଠାନିକ ଘୋଷଣା ଆସନ୍ତା କିଛି ଦିନ ମଧ୍ୟରେ ହେବ। ଭାରତର ଅନ୍ୟତମ ସଫଳ କ୍ରିକେଟ୍ ଅଧିନାୟକ ଭାବେ ପରିଚିତ ୪୭ ବର୍ଷୀୟ ସୌରଭ ଗାଙ୍ଗୁଲି ସଂପ୍ରତି ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)ର ସଭାପତି ଅଛନ୍ତି। ସେଥିପାଇଁ ସେ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ରହି ପାରିବେ। ସିଏବି ଏବଂ ବିସିସିଆଇ ସଭାପତି ଭାବେ ୬ ବର୍ଷ ପୂରଣ କରିବା ପରେ ଲୋଧା ସମିତି ସୁପାରିସ ମୁତାବକ ତାଙ୍କୁ କୁଲିଂ ଅଫ୍ ପିରିୟଡ୍‌ରେ ଯିବାକୁ ହେବ। ସଭାପତି ପଦ ଦୌଡ଼ରେ ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ। ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନଙ୍କ ସହଯୋଗରେ ଏଥିଲାଗି ସେ ଗତ ଦୁଇ ସପ୍ତାହ ହେବ ସମର୍ଥନ ଯୋଗାଡ଼ରେ ଲାଗି ଥିଲେ। ହେଲେ ଅଧିକାଂଶ ସଦସ୍ୟ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କୁ ପୂର୍ବାଞ୍ଚଳ ସହ ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ। ବ୍ରିଜେଶ ଶେଷ ପର୍ଯ୍ୟନ୍ତ ପ୍ରମୁଖ ଦାବିଦାର ଥିଲେ। ଶେଷ କ୍ଷଣରେ କିନ୍ତୁ ଗାଙ୍ଗୁଲି ବାଜି ମାରି ନେଇଥିଲେ। ତେବେ ବ୍ରିଜେଶଙ୍କୁ ଖୁସି କରିବା ଲାଗି ତାଙ୍କୁ ଆଇପିଏଲ୍ ଅଧ୍ୟକ୍ଷ ପଦ ଦିଆଯାଇପାରେ । ସେପଟେ କିର୍ତି ଆଜାଦଙ୍କୁ ପଛରେ ପାକଇ ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ବାଡ୍ ବିସିସିଆଇର ୯ ଜଣିଆ ପରିଚାଳନା ପରିଷଦ ଲାଗି ଭାରତୀୟ କ୍ରିକେଟ୍ ସଂଘର ପୁରୁଷ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସଂଘର ମହିଳା ପ୍ରତିନିଧି ଭାବେ ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଛନ୍ତି। ନୂଆ କର୍ମକର୍ତା କାର୍ଯ୍ୟଭାର ଗ୍ରହଣ କଲେ ଉଚ୍ଚତମ ନ୍ୟାୟଳୟ ନିଯୁକ୍ତ ପ୍ରଶାସନିକ ସମିତିର ୩୩ ମାସ କାର୍ଯ୍ୟକାଳ ଶେଷ ହେବ। ବିସିସିଆଇ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା। ହେଲେ ଅଧିକାଂଶ ପଦ ଲାଗି ସହମତି ହୋଇ ସାରିଥିବାରୁ ନିର୍ବାଚନ ହେବାର ଆଉ ଆବଶ୍ୟକତା ପଡ଼ିବ ନାହିଁ।

Related Posts