ୟୁପିରେ ସପା-କଂଗ୍ରେସ ଆସନ ବୁଝାମଣା; ୧୭ ଆସନରେ ଲଢ଼ିବ କଂଗ୍ରେସ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ):  ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ରାଜ୍ୟ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟର ୮୦ ଆସନରୁ କଂଗ୍ରେସ ୧୭ଟି ଆସନରେ ଲଢ଼ିବ ଏବଂ ଅବଶିଷ୍ଟ ୬୩ଟି ଆସନରେ ସପା ଓ ଅନ୍ୟ ସହଯୋଗୀ ଦଳମାନେ ଲଢ଼ିବେ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ଗତ ବର୍ଷ ଜୁନ୍ ମାସରେ ଗଠିତ ଇଣ୍ଡି ମେଣ୍ଟର ଏହା ପ୍ରଥମ ସଫଳ ଆସନ ବୁଝାମଣା ବୋଲି କୁହାଯାଉଛି ।

ଆସନ ବୁଝାମଣା ନେଇ ଗତ ୩ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ହୋଇଥିବା ସହମତି କଂଗ୍ରେସକୁ ଆଶ୍ବସ୍ତ କରିଥିବା ବେଳେ ଇଣ୍ଡିଆ ମେଣ୍ଟ ପାଇଁ ମଧ୍ୟ ନୂଆ ଆଶା ସଂଚାର କରିଛି । ଏବେ ରାଜ୍ୟରେ ମାନ୍ଦା ସ୍ଥିତିରେ ଚାଲିଥିବା କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମଧ୍ୟ ଏହା ବଳ ଦେବ ବୋଲି କୁହାଯାଉଛି । ବୁଝାମଣା ଅନୁଯାୟୀ କଂଗ୍ରେସ ନିଜର ଗଡ଼ ରାଏବରେଲି ଓ ଆମେଥି ସମେତ କାନପୁର, ଫତେପୁର ସିକ୍ରି, ବାସଗାଓଁ, ସାହରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ଅମରୋହା, ଝାନ୍ସି, ବୁଲନ୍ଦସହର, ଗାଜିଆବାଦ, ମଥୁରା, ସୀତାପୁର, ବାରବାଙ୍କୀ ଏବଂ ଦେଓରିଆ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦେବ।

Related Posts