ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ରାଜନୀତି ସରଗରମ ହୋଇଥିବାର ଦେଖିବାକୁ ମିଳିଛି । ତେବେ ଏହି ଅଧିବେଶନରେ ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବେ। ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ସହ ୨୦୨୯ ନିର୍ବାଚନ ପୂର୍ବରୁ ସାରା ଦେଶରେ ଆସନ ସୀମା ନିର୍ଧାରଣ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ବୃଦ୍ଧି ପାଇ ୮୫୦ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି। ଏହି ସ୍ବତନ୍ତ୍ର ଅଧିବେଶନରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ହେଉଛି ଲୋକସଭାର ଆସନ ସଂଖ୍ୟା ୫୪୩ ରୁ ପ୍ରାୟ ୮୫୦କୁ ବୃଦ୍ଧି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମହିଳାମାନଙ୍କୁ ଦୀର୍ଘ ଦିନରୁ ପ୍ରତିକ୍ଷିତ ନ୍ୟାୟ ପ୍ରଦାନ କରିବାର ଏକ ଐତିହାସିକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ଏହି ପଦକ୍ଷେପର ସଫଳତା ନିଶ୍ଚିତ କରିବାକୁ ବିଜେପି ତାର ସମସ୍ତ ସାଂସଦଙ୍କୁ ଏପ୍ରିଲ ୧୬-୧୮ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି। ସଂସଦ ବାହାରେ ମଧ୍ୟ ଦଳ ପକ୍ଷରୁ ସାରା ଦେଶରେ ଏ ବାବଦ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।
