ଅବତରଣ କରିବା ପୂର୍ବରୁ ଝଡ଼ର ସାମ୍ନା କଲା ସ୍ପାଇସ୍‌ଜେଟ୍‌ର ଏକ ଯାତ୍ରୀ ବିମାନ: ୪୦ ଜଣ ଯାତ୍ରୀ ଆହତ

କୋଲକାତା: ଏକ ବଡ ଅଘଟଣରୁ ଅଳ୍ପକେ ବର୍ତି ଯାଇଛି ସ୍ପାଇସ୍‌ଜେଟ୍‌ର ଏକ ଯାତ୍ରୀ ବିମାନ | ରବିବାର ମୁମ୍ବାଇରୁ ପଶ୍ଚିମବଙ୍ଗର ଦୁର୍ଗାପୁରକୁ ଉଡ଼ାଣ ଭରିଥିବା ବିମାନ ଅଳ୍ପକେ ବର୍ତି ଯାଇଛି | ବିମାନ ଦୁର୍ଗାପୁରସ୍ଥିତ ଅଣ୍ଡାଲ କାଜି ନଜରୁଲ ଇସ୍‌ଲାମ ଏୟାରପୋର୍ଟ ପର୍ଯ୍ୟନ୍ତ ପହଞ୍ଚିସାରିଥିଲା । ମାତ୍ର ଠିକ ଏହି ଯାତ୍ରୀ ବିମାନ ଅବତରଣକରିବାକୁ ଯାଉଥିବା ବେଳେ ଝଡ଼ର ସାମ୍ନା କରିଥିଲା । ପାଗ ଖରାପ ଯୋଗୁଁ ବିମାନଟି ଝଡ଼ରେ ଫସିଯାଇଥିଲା । ପାଇଲଟ ବିମାନକୁ ସଫଳତାର ସହିତ ଅବତରଣ କରାଇବାରେ ବିଫଳ ହୋଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନବନ୍ଦରରେ ଅବତରଣ ପୂର୍ବରୁ କାଳବୈଶାଖୀ ଝଡ଼ରେ ବିମାନ ଫସିଯାଇଥିଲା । ଅବତରଣ ପୂର୍ବରୁ ଫସିଥିବା ବିମାନ ଶୂନ୍ୟରେ ହିଁ ଅଟକିବାକୁ ବାଧ୍ୟ ହୋଇଥିଲା । ଏହା ପରେ ବିମାନର କ୍ୟାବିନରୁ ସାମଗ୍ରୀ ଖସିପଡ଼ିଲା ଏବଂ ଏହି କାରଣରୁ ବିମାନର ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ପାଇସଜେଟ ଏହି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛି । କୁହାଯାଉଛି ଯେ, ସ୍ପାଇସଜେଟର ବୋଇଂ ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରକୁ ଉଡିଥିଲା । ସମସ୍ତ ଆହତଙ୍କୁ ନିକଟସ୍ଥ ରାନୀଗଂଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଥିବା କୁହାଯାଉଛି । ଏହି ଘଟଣା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।

ସ୍ପାଇସ୍‌ଜେଟର ମୁଖପାତ୍ର ମଧ୍ୟ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ବିମାନ ସଂଖ୍ୟା ଏସ୍‌ଜି-୯୪୫ ମୁମ୍ବାଇରୁ ଦୁର୍ଗାପୁର ପାଇଁ ଉଡିଥିଲା । ଏହି ବିମାନ କାଳବୈଶାଖୀର ଝଡ଼ରେ ଫସିଯାଇଥିଲା । ଫଳରେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କର ଚିକିତ୍ସା କରାଯାଉଛି |

ପରେ ବିମାନଟି ନିରାପଦ ସହ ଅବତରଣ କରିଥିଲା। ଓହ୍ଲେଇବା ପରେ ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କୁ ମେଡିକାଲ ସହୟତା ପ୍ରଦାନ କରାଯାଥିଲା। ଏହି ଘଟଣା ପାଇଁ ସ୍ପାଇସ ଜେଟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି।

Related Posts