ଆଜିଠୁ ପୁଣି ଖୋଲିଛି ସ୍କୁଲ

ଭୁବନେଶ୍ବର: ଆଜିଠୁ ପୁଣି ଖୋଲିଛି ସ୍କୁଲ | ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ଦୀର୍ଘ ୫ ଦିନ ହେଲା ବନ୍ଦ ରହିଥିବା ସ୍କୁଲ ପୁଣି ଖୋଲିଛି | ଆଜି ଠାରୁ ସକାଳ ୬ ଟାରୁ ୯ ଟା ଯାଏଁ ଚାଲିବ ସ୍କୁଲ । ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସବୁଦିନ ପରି ଯେମିତି ସ୍କୁଲ ଆସିବା କଥା ସେମିତି ଆସିଛନ୍ତି ।ପିଲାମାନେ ସକାଳ ୬ଟାରେ ସ୍କୁଲରେ ପହଞ୍ଚିଛନ୍ତି । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ଆଗରୁ ଘୋଷଣା କରିଥିଲେ ରାଜ୍ୟ ସରକାର ।

ଆଗାମୀ ଦିନରେ ଲଘୁଚାପ ରହିଥିବାରୁ ତାତି କମିବାର ସମ୍ଭାବନା ରହିଛି । ଫଳରେ ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ବିପଦ ରହିବ ନାହିଁ । ସେଥିପାଇଁ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିଛି । ଜୁନ ୬ ତାରିଖ ପର୍ଯ୍ୟନ୍ତ ପିଲାଙ୍କ ଦୁଇ ବର୍ଷର ପାଠପଢ଼ା କ୍ଷତି ଭରଣା କରାଯିବ । କୋରୋନା କାଳରେ ଛାତ୍ରଛାତ୍ରୀ ମାନେ ଦୁଇ ବର୍ଷ ଧରି ପାଠ ପଢିନାହାନ୍ତି । ସେଥିପାଇଁ ଚଳିତବର୍ଷ ପାଠପଢା ଅଧିକ ପ୍ରଭାବିତ ନହେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମଇ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ପୁଣି ଥରେ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ତେବେ ସକାଳ ୬ଟାରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ସ୍କୁଲ ଆସିବା କଷ୍ଟକର ବୋଲି ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଅସନ୍ତୋଷ କହିଥିଲା । ହେଲେ ସରକାର ତାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନାହାନ୍ତି । ନିକଟରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଥିଲା । ତାପମାତ୍ରା ବଢିବା ପରେ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ଯାଏ ମୋଟ୍ ୫ ଦିନ ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

Related Posts