ସାମୁଦ୍ରିକ ସୀମା ଉଲ୍ଲଂଘନ ଦର୍ଶାଇ ପୁଣି ୧୪ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ପୁଡ୍ଡୁଚେରୀ: ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ଦର୍ଶାଇ, ଶ୍ରୀଲଙ୍କା ନୌସେନା ପୁଣି ଥରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ବୁଧବାର ରାତିରେ ସୁଦୂର ସମୁଦ୍ରରେ ମାଛ ମାରୁଥିବା ତାମିଲନାଡୁର ନାଗପଟ୍ଟିନମ୍‌, କରାଈକାଲ୍‌ ଏବଂ ରାମନାଥପୁରମ ଜିଲ୍ଲାର ୧୪ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି।

ଶ୍ରୀଲଙ୍କା ନୌସେନା ଆକ୍ରମଣରେ ତାମିଲନାଡୁର ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା କଥା ମଧ୍ୟ ଜଣାପଡ଼ିଛି। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଆହତ ମତ୍ସ୍ୟଜୀବୀ ଜଣକ ହେଉଛନ୍ତି ରାମେଶ୍ବରମ୍‌ର ଜନ୍‌ସନ୍‌। ବୁଧବାର ରାତିରେ ଶ୍ରୀଲଙ୍କାର ନୌସେନା କର୍ମଚାରୀଙ୍କ ଆକ୍ରମଣରେ ତାଙ୍କ ଆଖିରେ ଆଘାତ ଲାଗିଛି।

ଉକ୍ତ ମତ୍ସ୍ୟଜୀବୀମାନେ ପୁଡ୍ଡୁଚେରୀର କରାଈକାଲ୍‌ ବନ୍ଦରରୁ ମାଛ ମାରିବା ଲାଗି ନଭେମ୍ବର ୧୫ ତାରିଖ ଦିନ ସମୁଦ୍ରକୁ ଯାଇଥିଲେ।

ସେମାନେ ଦକ୍ଷିଣପୂର୍ବ ଭାରତ ମହାସାଗରର କୋଡ଼ିଆକ୍କରାଈରେ ମାଛ ମାରୁଥିବା ବେଳେ ଶ୍ରୀଲଙ୍କୀୟ ନୌସେନା ଘେରାଉ କରି ୧୪ଜଣଙ୍କୁ ଗିରଫ କରିଥିଲା। ଏହାପରେ ତଦନ୍ତ ଲାଗି ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ସରକାରୀ ଅଧିକାରୀମାନେ କାଙ୍କେସନ୍ତୁରାଇ ବନ୍ଦରକୁ ନେଇଛନ୍ତି।

ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ଘଟଣା ଜଣାପଡ଼ିବା ପରେ ଉପକୂଳରେ ଥିବା ମାଛମରା ଗାଁଗୁଡ଼ିକରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ, ଭାରତ ମହାସାଗରରେ ମାଛ ମାରୁଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ଓ ସେମାନଙ୍କ ବୋଟ୍‌ ଜବତ କରିବା ନିୟମିତ ଘଟଣା ହୋଇଗଲାଣି।

ଗିରଫ ମତ୍ସ୍ୟଜୀବୀମାନଙ୍କୁ ମୁକୁଳାଇବା ଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ମତ୍ସ୍ୟଜୀବୀମାନେ ପୁଣି ଥରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସହ ଏହାର ପ୍ରତିକାର କରିବା ପାଇଁ ଅନୁରୋଧ କରିଛନ୍ତି

Related Posts