ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ବିଜେପି ନେତା ମାନେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦିଅନ୍ତୁ: ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିକୁ ନେଇ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଦୁଇ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଚାଷୀଙ୍କ ହକ୍ ପାଇଁ ଆସନ୍ତାକାଲିଠୁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପିର ଘୋଷଣା କରିଛି। ଏହି ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛି ବିଜେଡି।

ବିଧାନସଭା ସାମ୍ନାରେ ବିଜେପିର ଧାରଣା ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ଏହା ସହ ଓଡ଼ିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ସେମାନେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦେବା ଉଚିତ୍‍ ବୋଲି ସେ କହିଛନ୍ତି। ବିଜେପି ଆଚରଣରୁ ଜଣାପଡୁଛି ସେମାନେ ବୋଧେ ଭୁଲିଯାଇଛନ୍ତି ଯେ କେନ୍ଦ୍ରରେ ସେମାନଙ୍କ ଦଳର ସରକାର ଅଛି। ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ଯଦି ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଏହି ଧାରଣା ଦେବା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ ତାହା ସବୁଠାରୁ ଭଲ ହେବ ବୋଲି ସସ୍ମିତ କହିଛନ୍ତି।

ସସ୍ମିତ ପାତ୍ର ପୁଣି କହିଛନ୍ତି ଯେ, ବିଜେପି ଦଳ ଏବଂ ଏହାର ବିଧାୟକମାନେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଓଡ଼ିଶା ବିଧାନସଭାରେ ୨୦୧୮ ମସିହାରେ ଆସିଥିବା ସଙ୍କଳ୍ପକୁ ବିଜେଡି ଏବଂ କଂଗ୍ରେସର ସମସ୍ତ ବିଧାୟକ ସହିତ ସମର୍ଥନ କରିଥିଲେ । ତେଣୁ ପାର୍ଲାମେଣ୍ଟ ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ବିଜେପି ଦାବି କରିଥିଲା ଯେ, ସେମାନେ କୃଷକଙ୍କ ଏମଏସ୍‍ପିକୁ ଉତ୍ପାଦନ ମୂଲ୍ୟର ଦେଢ ଗୁଣ ବୃଦ୍ଧି କରିବେ । ସେମାନେ ତାହା କଲେ ନାହିଁ । ସେହିଭଳି ବିଜେପି ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲା । ସେମାନେ ତାହା କଲେ ନାହିଁ । ବିଜେପି କାହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି। ସାର ଅଭାବ ଠାରୁ ଆରମ୍ଭ କରି ଓଡ଼ିଶା ଚାଷୀଙ୍କର ଫସଲ ବୀମାକୁ ଅଟକାଇବା ପର୍ଯ୍ୟନ୍ତ ବିଜେପି ଚାଷୀ ବିରୋଧୀ କାର୍ଯ୍ୟକଳାପରେ ପାରଦର୍ଶୀତା ହାସଲ କରିଛି। ଓଡ଼ିଶାର କୃଷକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବକୁ ଦେଖୁଛନ୍ତି । ବିଜେପି ଆଉ କୌଣସି ପ୍ରକାରେ ଓଡ଼ିଶାର ଚାଷୀଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି।

Related Posts