ଆସନ୍ତା କାଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଷ୍ଟାଲିନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଆସନ୍ତା କାଲି ଅର୍ଥାତ୍ ମେ ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିଏମକେ ସଭାପତି ଏମ କେ ଷ୍ଟାଲିନ୍। ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ବୁଧବାର ଡିଏମକେ ସଭାପତି ଷ୍ଟାଲିନ୍ ଙ୍କୁ ମେ ୭ରେ ରାଜ୍ୟରେ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ଏହାପୂର୍ବରୁ ଷ୍ଟାଲିନ ରାଜ ଭବନରେ ପୁରୋହିତଙ୍କୁ ସରକାର ଗଠନ ପାଇଁ ଦାବି କରିଥିଲେ।  ଏମ୍ କେ ଷ୍ଟାଲିନ ଡିଏମକେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେବାର ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ରାଜ୍ୟପାଳଙ୍କ ସଚିବ ଆନନ୍ଦ୍ ରାଓ ବିଷ୍ଣୁ ପାଟିଲ ଷ୍ଟାଲିନଙ୍କ ବାସଭବନ ପରିଦର୍ଶନ କରି ଏ ସମ୍ପର୍କରେ ସରକାରୀ ଯୋଗାଯୋଗ ପତ୍ର ହସ୍ତାନ୍ତର କରିଥିଲେ ।  କରୋନାର ଦ୍ବିତୀୟ ଲହର ଭୟାବହତାକୁ ନଜରରେ ରଖି ଏଥର ଶପଥ ଗ୍ରହଣ ସମାରୋହ ନିରାଡମ୍ବରରେ ହେବ ବୋଲି ସୂଚନା ମିଳିଛି।  ଡିଏମକେ ସାଧାରଣ ସମ୍ପାଦକ ଦୁରାଇମୁରୁଗନ୍, କୋଷାଧ୍ୟକ୍ଷ ଟି .ଏନ୍ .ବାଲୁ, ମୁଖ୍ୟ ସଚିବ କେ . ଏନ୍ ନେହେରୁ ଏବଂ ରାଜ୍ୟସଭା ସାଂସଦ ଆର. ଏସ୍ ଭାରତୀ ଷ୍ଟାଲିନଙ୍କ ସହ ରାଜ ଭବନକୁ ଯାଇଥିଲେ। ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଭାରତୀ କହିଛନ୍ତି ଯେ ଷ୍ଟାଲିନ ମଙ୍ଗଳବାର ସନ୍ଧ୍ୟାରେ ଆନ୍ନା ଆରିଭାଲାୟାମରେ ଅନୁଷ୍ଠିତ ଡିଏମକେ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରାଜ୍ୟପାଳଙ୍କୁ ସରାକାର ଗଠନ ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି। ନୂତନ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଶୁକ୍ରବାର ଦିନ ଶପଥ ଗ୍ରହଣ କରିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଭାରତୀ କହିଛନ୍ତି ଯେ ତାଙ୍କ ଦଳ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ।

Related Posts