ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ୪ ଜଣିଆ କମିଟି ଗଠନ କଲେ ଗୃହମନ୍ତ୍ରୀ ଅମିତ ଶାହ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସିର ବିଜୟ ପରେ ରାଜ୍ୟରେ ଚାଲିଥିବା ହିଂସାର ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଗଠିତ ଏହି ଚାରିଜଣ କମିଟି ଜଣେ ଅତିରିକ୍ତ ସଚିବ ପଦବୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। MHA ସୁତ୍ରରୁ ମିଳିଥିବା ସୂଚନା ମୁତାବକ  “ ଏହି ଟିମ୍ ଆଜି ସକାଳେ ପଶ୍ଚିମବଙ୍ଗ ଗସ୍ତ କରିଛି ଏବଂ ଖୁବ ଶୀଘ୍ର କୋଲକାତାରେ ପହଞ୍ଚି ଏହାର କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ମଧ୍ୟରେ ଏକ ରିପୋର୍ଟ ସହ ଫେରିବା ପାଇଁ ଏହି ଟିମ୍ କୁ ନିର୍ଦ୍ଦେଶ ଦିଆଯାଇଛି। ” ସୂଚନା ମୁତାବକ ଏହି ଟିମ୍ ମୁଖ୍ୟ ଶାସନ ସଚିବ ତଥା ପ୍ରଶାସନର ଅନ୍ୟ ବ୍ୟୁରୋକ୍ରାଟ୍ ଙ୍କ ବ୍ୟତୀତ ପଶ୍ଚିମବଙ୍ଗ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଭେଟିବ।  ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ ଯେଉଁଠାରେ ରବିବାର ଠାରୁ ହିଂସାର ରିପୋର୍ଟ ଆସୁଛି। ଏବଂ ହିଂସାରେ ପ୍ରଭାବିତ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବ ବୋଲି ଜଣାପଡ଼ିଛି।  ପଶ୍ଚିମବଙ୍ଗରେ ଚାଲିଥିବା ନିର୍ବାଚନ ପରବର୍ତ୍ତୀ ହିଂସା ପରେ, MHA ବୁଧବାର ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ହିଂସାକୁ ରୋକିବା ପାଇଁ ପଦକ୍ଷେପ ନ ନେଇ ଥିବା ଅଭିଯୋଗ କରିଛି। ଏବଂ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛି। ଏହି ଚିଠି ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟଙ୍କ ନିକଟକୁ ପଠାଯାଇଛି । ଏହି ଚିଠିରେ ମେ 3 ରେ ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଚିଠିକୁ ମନେ ପକାଇ ଦିଆଯାଇଛି, ଯେଉଁଥିରେ ତାଙ୍କୁ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାର ଯାଞ୍ଚ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା । ଏବଂ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ତେବେ ଏମଏଚଏ ଅଧିକାରୀ କହିଛନ୍ତି ଯେ,  “ଏପର୍ଯ୍ୟନ୍ତ ରିପୋର୍ଟ ମିଳି ନାହିଁ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ହିଂସା ଜାରି ରହିଛି।  ଏହାର ଅର୍ଥ ଏପର୍ଯ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ହିଂସାକୁ ରୋକିବା ପାଇଁ ପଶ୍ଚିମବଙ୍ଗକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକାରୀ କହିଛନ୍ତି ଯେ “ଯଦି ପରିସ୍ଥିତି ରିପୋର୍ଟ ଥରେ ଗ୍ରହଣୀୟ ନହୁଏ ତେବେ ଏହାକୁ ଗୁରୁତର ସହ ନିଆଯିବ ବୋଲି ଚିଠିରେ ଦର୍ଶାଯାଇଛି। ରବିବାର ଦିନ ବିଧାନସଭା ନିର୍ବାଚନରେ ​​ଟିଏମସିର ବିଜୟ ପରେ ରାଜ୍ୟରେ ବହୁ ହିଂସାକାଣ୍ଡ ଘଟିଥିବାର ଖବର ଆସିଛି ଯେଉଁଥିରେ ବହୁ ବିଜେପି କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କୁ ଟିଏମସି କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି।  ଟିଏମସି ନେତାଙ୍କୁ ବିଜେପି ଟାର୍ଗେଟ କରୁଥିବା ଖବର ମଧ୍ୟ ଆସିଛି।  ଏ ପର୍ଯ୍ୟନ୍ତ 14 ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଅନୁଧ୍ୟାନ କରି ମମତା ବାନାର୍ଜୀ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଡିଜିପି ପି ନିରଂଜନଙ୍କ ସମେତ 30 ଜଣ ବରିଷ୍ଠ ଅଧିକାରୀଙ୍କୁ ଟ୍ରାନ୍ସଫର କରିଥିଲେ, ଏବଂ ଯେ କୌଣସି ପ୍ରକାରର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। 

Related Posts