ଆଇପିଏଲରୁ ଅବସର ଘୋଷଣା କଲେ ଷ୍ଟାର ଆଲରାଉଣ୍ଡର ପୋଲାର୍ଡ, ବ୍ୟାଟିଂ କୋଚ ଭାବେ ନିଯୁକ୍ତ କଲା ମୁମ୍ବାଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୱେଷ୍ଟଇଣ୍ଡିଜ୍ ର ଷ୍ଟାର ଆଲରାଉଣ୍ଡର କିରୋନ ପୋଲାର୍ଡଙ୍କ ଆଇପିଏଲ କ୍ୟାରିୟର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତ ବର୍ଷର ମିନି ଅକ୍ସନ ପୂର୍ବରୁ ପୋଲାର୍ଡ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ତେବେ ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ମୁମ୍ବାଇ ଆଇପିଏଲ ଟ୍ରଫି ୫ଥର ହତେଇଥିବା ବେଳେ ପୋଲାର୍ଡ ୫ଥର ଯାକ ଏହାର ସଦସ୍ୟ ରହିଥିଲେ।

ଚଳିତ ବର୍ଷ ମୁମ୍ବାଇ ମିନି ଅକ୍ସନ ପୂର୍ବରୁ ପୋଲାର୍ଡଙ୍କୁ ରିଲିଜ୍‌ କରିଦେଇଥିଲା। ଏବେ ସେ ଆଇପିଏଲରୁ ଅବସର ନେଇଛନ୍ତି। ଅବସର ନେଇଥିଲେ ମଧ୍ୟ ମୁମ୍ବାଇ ଓ ଆଇପିଏଲ ସହ ପୋଲାର୍ଡ ଜଡ଼ିତ ରହିବେ। କାରଣ ସେ ଅବସର ଘୋଷଣା କରିବା କ୍ଷଣି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦଳର ବ୍ୟାଟିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ଅର୍ଥ ସେ ୨୦୨୩ ଆଇପିଏଲରେ ମଧ୍ୟ ମୁମ୍ବାଇ ଡଗଆଉଟରେ ରହିବେ।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ପୋଲାର୍ଡଙ୍କୁ ଟାଇ ବ୍ରେକର ନିୟମ ଜରିଆରେ ପ୍ରଥମଥର ପାଇଁ କିଣିଥିଲା। ଏହାପରେ ସେ ଦଳର ଜଣେ ସକ୍ରିୟ ସଦସ୍ୟ ବନି ଯାଇଥିଲେ। ସେ ମୁମ୍ବାଇ ସହ ଥିବା ବେଳେ ଦଳ ୫ଥର ଆଇପିଏଲ ଓ ୨ ଥର ଚାମ୍ପିୟନ୍ସ ଲିଗ୍‌ ଟ୍ରଫି ମଧ୍ୟ ଜିତିଛି।

Related Posts