ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଏହି ବଜେଟରେ ଲୋକଙ୍କୁ କିପରି ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେନେଇ ଗୁରୁତ୍ଵ ଦିଆଯାଇଛି ।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀ ପରିବାରକୁ ପାଇପ୍ ଯୋଗେ ଜଳ ଯୋଗାଣ ହେବ । ଏଥିପାଇଁ ସମସ୍ତ ପ୍ରୟାସ କରାଯାଉଛି । ତେବେ ୩୬ ହଜାର ୪୫୫ କୋଟି ଟଙ୍କା ମୂଲ୍ୟରେ ୨୦୭ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ପରିକଳ୍ପନା ଦ୍ୱାରା ଗ୍ରାମାଞ୍ଚଳରେ ଜଳଯୋଗାଣ କରି ରାଜ୍ୟ ସରକାର ସଫଳତା ପାଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ତେବେ ଚଳିତ ବଜେଟରେ ପାନୀୟ ଜଳ ଯୋଗାଣ ପାଇଁ ମୋଟ ୧୩ ହଜାର ୨୧୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।ଏହି ବ୍ୟୟବରାଦ ଭିତରୁ ବସୁଧା ଯୋଜନା ପାଇଁ ୪୭୫୦ କୋଟି, ଜଳଜୀବନ ମିଶନ ପାଇଁ ୭୫୦ କୋଟି, ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୨୬୯ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଓଡିଶା ଖଣିଜ ସମ୍ପଦପୂର୍ଣ୍ଣ ଅଞ୍ଚଳ ଉନ୍ନୟନ ନିଗମ ପାଣିଠୁ ୮ଟି ଖଣିଜ ଦ୍ରବ୍ୟ ଥିବା ଜିଲ୍ଲାର ୬୯୧ଟି ଗ୍ରାମକୁ ୨୧୨୭ କୋଟି ଟଙ୍କା ଓ ଜିଲ୍ଲା ଖଣିଜ ପାଣ୍ଠିକୁ ୫୮୮ କୋଟି ଟଙ୍କା ବ୍ୟୟ ଅଟକଳରେ ପାଇପ୍ ଜଳ ଯୋଗାଣ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।