
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହିଳା ସଶକ୍ତିକରଣ ନାଁରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବିଜେଡିର କର୍ମୀ ଭଳି ଦଳୀୟ ପ୍ରଚାର ଓ ଆତ୍ମରକ୍ଷା କାର୍ଯ୍ୟରେ ରାଜ୍ୟ ସରକାର ନିୟୋଜିତ କରୁଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଶ୍ରୀମତୀ ପଟ୍ଟନାୟକ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକାରଙ୍କ ଉପରେ ଏନେଇ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଅତୀତରେ ଅନେକ ସମୟରେ ଶାସକ ଦଳର ଦଳୀୟ ସଭାସମିତି, ସରକାରୀ ସଭା ଓ ନିର୍ବାଚନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ବିଜେଡିର ଦଳୀୟ ରଙ୍ଗ ସବୁଜ ଶାଢ଼ି ପିନ୍ଧାଇ ଦଳୀୟ ପତାକା ଧରାଇ ଦଳୀୟ କର୍ମୀଭାବେ ତାଙ୍କୁ ବ୍ୟବହାର କରାଯାଉଥିବାର ଅନେକ ନଜିର ରହିଛି। ଏପରିକି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ପଦାରେ ପଡ଼ିଯିବା ସମୟରେ ତଥା ଦୁଷ୍କର୍ମ, ହତ୍ୟା, ଅପରାଧ ଘଟଣାରେ ସଂପୃକ୍ତ ମନ୍ତ୍ରୀ, ବିଧାୟକଙ୍କର ଅପରାଧ ଘଟଣାକୁ ଘଣ୍ଟ ଘୋଡ଼ାଇବା ଉଦ୍ଦେଶ୍ୟରେ ସରକାରଙ୍କ ଅନ୍ୟାୟ, ଅନୀତି ସପକ୍ଷରେ ପ୍ରାୟୋଜିତ ସଭାସମିତିରେ ତାଙ୍କୁ ଛିଡ଼ା କରାଇବାକୁ ପଛାଉନାହାନ୍ତି।
ଏହିଭଳି ଏକ ଯୋଜନା ଆସନ୍ତା ୮ତାରିଖ ପାଇଁ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ପଛରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଥିବାବେଳେ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ୮ତାରିଖରେ ମିସନ୍ ଶକ୍ତି ସମାବେଶ ଆୟୋଜନ କରାଯାଉଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସେହିପରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ପାଇଁ କୌଣସି ୟୁନିଫର୍ମ ଶାଢ଼ି ବା ପୋଷାକ ପିନ୍ଧିବାର ବ୍ୟବସ୍ଥା ଦେଶର ଆଇନରେ ନଥିବାବେଳେ ସେମାନଙ୍କୁ ସବୁଜ ରଙ୍ଗର ଶାଢ଼ି ପିନ୍ଧେଇବା ପାଇଁ ଓଡ଼ିଶା ମିସନ ଶକ୍ତିକୁ କିଏ ଅଧିକାର ଦେଲା ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।