ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ସହ ସରକାରୀ ଦଳର ବହୁ ନେତାଙ୍କ ସଂପୃକ୍ତି ରହିଛି। ଏହି ଘଟଣାର ଗୁମର ଖୋଲିଲେ ରାଜ୍ୟ ସରକାର ଭାଙ୍ଗିଯିବ। କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି ଯେ, ମମିତା ମେହେର ଘଟଣାରେ ରାଜ୍ୟର ତତ୍କାଳୀନ ମନ୍ତ୍ରୀ କ୍ୟାପଟେନ ଦିବ୍ୟସଙ୍କର ଦାସଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ହେଲେ ସେତେବେଳେ ସରକାର ଯେପରି ତଙ୍ଗରେ ତଦନ୍ତ ବାଟବଣା କରିଥିଲେ, ଠିକ ସେହିପରି ଢ଼ଙ୍ଗରେ ଏହି ମାମଲାକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ।
ବିଧାୟକ ଶ୍ରୀ ସାଲୁଜା କହିଛନ୍ତି ଯେ, ଯେଉଁ ସଙ୍ଗୀନ ଘଟଣାରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ଆଇଏଏସ, ଆଇପିଏସଙ୍କ ସମ୍ପୃକ୍ତି ଥାଏ ସେପରି ମାମଲାକୁ ସରକାର ଚପାଇ ଦିଅନ୍ତି। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରନ୍ତି । ଏହି ଘଟଣାରେ ମଧ୍ୟ ସମାନ ଭାବରେ ଶାସକ ଦଳର ଅନେକ ନେତା ବଡ ବଡ ଅଫିସର ମାନଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି। ଘଟଣାର ତଦନ୍ତ ହୋଇ ସତ୍ୟ ସାମ୍ନାକୁ ଆସିଲେ ରାଜ୍ୟ ସରକାର ଭାଙ୍ଗି ଯିବାର ଡର ରହିଛି। ତେଣୁ ଘଟଣାର ତଦନ୍ତକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ତେବେ ଅର୍ଚ୍ଚନା ନାଗଙ୍କ ଠାରୁ ଜବତ ହୋଇଥଥିବା ମୋବାଇଲ, ହାର୍ଡଡିସ୍କରେ କେଉଁମାନଙ୍କର ସମ୍ପୃକ୍ତି ତାହାର ଖୁଲାସା କରିବାସହ ଏସଆଇଟିକୁ ତଦନ୍ତ ହସ୍ତାନ୍ତର କରିବା ପାଇଁ ଶ୍ରୀ ସାଲୁଜା ଦାବି କରିଛନ୍ତି।
