ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଟିମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଟିମ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ରନରେ ହରାଇ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଫାଇନାଲ ଟିକେଟ ହାସଲ କରିଛି।ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିବା ବେଳେ ଏହାର ଜବାବରେ ଇଂଲଣ୍ଡ ୬ ୱିକେଟ ହରାଇ କେବଳ ୧୬୦ ରନ କରିପାରିଛି। ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଦଳ କେବଳ ୯ ରନ କରିବାକୁ ସକ୍ଷମ ହୋଇଛି। ଏଥିସହ ଶେଷ ଓଭର ବୋଲିଂ କରୁଥିବା ସେହ୍ନା ରାଣା ଗୋଟିଏ ୱିକେଟ ଦଖଲ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି।

ଓପନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ୬୧ ରନ ଓ ଜେମିମା ରୋଡ୍ରିଗସଙ୍କ ୩୧ ବଲରେ ଅପରାଜିତ ୪୪ ରନ ବଳରେ ଭାରତୀୟ ମହିଳା ଦଳ ୫ ୱିକେଟ ହରାଇ ୧୬୪ ରନ କରିଥିଲା। ୧୬୫ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ପାଇଁ ଅଧିନାୟକ ନାଟ ସ୍କିଭର ୪୧, ଓପନର ଡାନି ୱାଟ୍ଟ ୩୫ ଓ ଆମି ଜୋନ୍ସ ୩୧ ରନ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ୧୯ତମ ଓଭରରେ ନାଟ ସ୍କିଭରଙ୍କ ରନ ଆଉଟ ହିଁ ମ୍ୟାଚର ମୋଡ଼ ବଦଳାଇଥିଲେ। ସେ ପର୍ଯ୍ୟନ୍ତ ଇଂଲଣ୍ଡ ହାତରେ ମ୍ୟାଚ ରହିଥିଲା। ସ୍କିଭର ଏହି ଓଭରରେ ଗୋଟିଏ ଛକା ଓ ଗୋଟିଏ ଚୌକା ମଧ୍ୟ ମାରିଥିଲେ। ହେଲେ ଶେଷ ବଲରେ ସେ ରନ ଆଉଟ ହୋଇଯିବାକୁ ଇଂଲଣ୍ଡ ହାତରୁ ମ୍ୟାଚ ଖସି ଯାଇଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନରେ ଅଟକି ଯାଇଥିଲା।ଭାରତ ପକ୍ଷରୁ ସ୍ନେହା ରାଣା ଦୁଇଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ୱିକେଟ ନେଇଛନ୍ତି। ବାକି ୩ ୱିକେଟ ଭାରତକୁ ରନ ଆଉଟ ରୂପେ ମିଳିଛି।

Related Posts