ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବନ୍ଦ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର ଏଲ୍ଇଡି ଲାଇଟ୍। ଏଏସଆଇ ସର୍କଲ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ସୂର୍ଯ୍ୟ ମନ୍ଦିରରେ ଲାଗିଥିବା ଏଲ୍ଇଡି ଲାଇଟ୍ ଗୁଡିକ ବନ୍ଦ୍ ହୋଇଛି। ତେବେ ଏହି ଲାଇଟ୍ ଗୁଡିକ ମନ୍ଦିରର ସୌନ୍ଦର୍ଯ୍ୟକୁ ବିକୃତ ଓ କ୍ଷୂଣ୍ଣ କରୁଥିବାନେଇ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଭିଯୋଗ କରିଥିଲେ ଓ ଏହାକୁ ବିରୋଧ କରିଥିଲେ।
ତେବେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣ ନାଁରେ ଏହି ପ୍ରାଚୀନ ଐତିହ୍ୟକୁ ଏଏସଆଇ ବିକୃତ କରିଥିବା ଅଭିଯୋଗ ଆଣି ଟ୍ୱିଟ୍ କରିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା ପରେ ଏଏସ୍ଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସୂର୍ଯ୍ୟମନ୍ଦିର ବିଭିନ୍ନ ପୀଢରେ ଧାଡି ଧାଡି ହୋଇ ଲାଗିଥିବା ଏଲ୍ଇଡି ଲାଇଟ୍କୁ ବନ୍ଦ ରଖାଯାଇଛି। ଆଲୋକୀକରଣ ପାଇଁ ବିଭିନ୍ନ ପୀଢରେ ଧାଡି ଧାଡି କରି ଲଗାଯାଇଥିବା ଲାଇଟକୁ ଯାତ୍ରା ପାର୍ଟି ଲାଇଟ୍ ସହ ତୁଳନା କରିଥିଲେ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଲୋକୀକରଣ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଦ୍ୱିଗୁଣିତ କରାଯାଉ। ହେଲେ ଏଭଳି ଧାଡି ଧାଡି ହୋଇ ଲାଗିଥିବା ଲାଇଟ୍ ମନ୍ଦିର ଗର୍ତ୍ତର କଳା କୃତିର କଳାତ୍ମକ ଭାବକୁ କ୍ଷୁଣ୍ଣ କରିଥିବା ସେ ଅଭିଯୋଗ ଆଣିଥିଲେ। ପୂର୍ବରୁ ଏଭଳି ଆଲୋକୀକରଣକୁ ବିରୋଧ କରି ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ସୁଦର୍ଶନ।
ସୁଦର୍ଶନ ପଟ୍ଟନାୟକଙ୍କ ଅଭିଯୋଗକୁ ସମର୍ଥନ ଜଣାଇଥିଲା କୋଣାର୍କ ସୁରକ୍ଷା ସମିତି। ମନ୍ଦିର ଗର୍ତ୍ତର ଲାଗିଥିବା ଏହି ଲାଇଟର ଅପସାରଣ ପାଇଁ ଦାବି କରିଥିଲେ ସମିତିର କର୍ମକର୍ତ୍ତା। ଓଡ଼ିଶାର ଶିଳ୍ପୀମାନଙ୍କ ଭାବନାକୁ ଏଏସ୍ଆଇ କର୍ତ୍ତୃପକ୍ଷ ସମ୍ମାନ ଜଣାଇ ଲାଇଟ୍ ବନ୍ଦ ପାଇଁ ପଦକ୍ଷେପ ନେଇଥିବାରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାଧୁବାଦ ଜଣାଇଛନ୍ତି।
