ଛେପ ଫୋପାଡିବାରୁ ଚାଟିବା ଯାଏଁ

ଆରମ୍ଭ ହେଇଗଲାଣି ‘ଛେପଚଟା’ ଋତୁ । ପକେଇଥିବା ଛେପକୁ ଚାଟିବାରେ ଆଉ ଢୋକିବାରେ ଆମ ରାଜନେତାଯେ କେତେ ମାହିର, ଆପଣମାନେ ଏହି ନିର୍ବାଚନ ୠତୁରେ ବେଶ ଅନୁଭବ କରିପାରିବେ । ରାଜନୀତିରେ ନିଜ ନୀତି, ଆଦର୍ଶକୁ ନେଇ ଗଳାଫଟା ଚିତ୍କାର କରୁଥିବା ନେତାଙ୍କର ନିଜର ଅସ୍ତିତ୍ୱକୁ ‘କବର’ ଦେବାର ଶୈଳୀକୁ ଦେଖିଲେ ବେଳେବେଳେ ନିଜକୁ ମଧ୍ୟ ବିଶ୍ୱାସ କରି ହୁଏନି । ସତ୍ୟପାଠ କୌଣସି ନିର୍ଦ୍ଧିଷ୍ଟ ଦଳ କିମ୍ବା ନେତାଙ୍କୁ ଏଠି ଆକ୍ଷେପ କରିବାକୁ ଚାହୁଁନାହିଁ । ବରଂ ସାମଗ୍ରିକ ଭାବରେ ଅନ୍ୟକୁ ଦଳପ୍ରେମ, ନୀତି ଆଦର୍ଶର ମାଗଣା ଜ୍ଞାନ ବାଣ୍ଟୁଥିବା ନେତାମାନଙ୍କୁ ଆଇନା ଦେଖାଇବାର ସଶାହାସ ରଖୁଛି ।ବିଜେଡିରେ ଏକଦା ତୁଣ୍ଡ ବୋଲାଉଥିବା ପାରାଦୀପର ଆତ୍ମଘୋଷିତ ଷଣ୍ଢ ଦାମୋଦର ରାଉତ ଦଳରେ ଥିବାବେଳେ ଖୁବ ବିଜେପି ବିରୋଧୀ ବିଷ ଓଗାଲୁଥିଲେ । ବିଜୁବାବୁଙ୍କ ଏହି ପଟ୍ଟଶିଷ୍ୟ ବିଜୁବାବୁ ସର୍ବଦା ବିଜେପି ଭଳି ‘ସାମ୍ପ୍ରଦାୟିକ’ ଦଳରୁ ଦୁରେଇରହିଥିବାରୁ, ଆଜୀବନ ବିଜେପିର ଛାଇ ମାଡିବେ ନାହିଁ ବୋଲି ଦମ୍ଭକ୍ତି ଦେଖାଉଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶବାସୀଙ୍କୁ ‘ମନ କି ବାତ’ ଶୁଣାଇବା ଅପେକ୍ଷା ନିଜ ପତ୍ନୀଙ୍କ ମନର କଥା ଶୁଣିବାକୁ ପରାମର୍ଶ ଦେଇଥିଲେ । ଏମିତିକି ଧର୍ମେନ୍ଦ୍ର କ୍ଷମତା ହାସଲ ପାଇଁ ବାପାଙ୍କ ସହ ପାପ କରିଛନ୍ତି, ଲେଖାଶ୍ରୀ ସ୍ୱାମୀ ଛାଡ଼ି ବୋଲି ଦାମବାବୁ କଟାକ୍ଷ କରିଥିଲେ । ନବୀନଙ୍କୁ ଖୁସି କରିବାକୁ ହେଉ, କିମ୍ବା ବିଜୁପ୍ରେମ ଦେଖାଇବା ପାଇଁ, ଦାମବାବୁଙ୍କ ବାରୁଦୀ କଣ୍ଠ ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଥିଲା । ମାତ୍ର ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ବିଜେଡିରୁ ତଡା ଖାଇବାପରେ ବାବୁ କୁଆଡେ ଦିଲ୍ଲୀରେ ଯାଇ ଡିଲ କରି ଫେରିଛନ୍ତି । ନବୀନଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ବୋଲି କହୁଛନ୍ତି । ତେବେ ଏଠି ସାଧାରଣ ଲୋକଙ୍କ ଗୋଟିଏ ପ୍ରଶ୍ନ ଯେ, ନିଜ ନୀତି ଆଦର୍ଶକୁ ପୁଞ୍ଜି କରି ଚାଲୁଥିବା, ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଦାମବାବୁ କ୍ଷମତା ପାଇଁ କଣ ନିଜକୁ ବିକ୍ରି କରିଦେଲେ । ସମାନ ପ୍ରଶ୍ନ ବିଜେପି ପାଇଁ ମଧ୍ୟ ଉଠୁଛି । ଦାମବାବୁଙ୍କୁ ଏକଦା ଶ୍ରୀଖଣ୍ଡି ଆଖ୍ୟା ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ, ଏବେ ଦାମବାବୁଙ୍କୁ କିପରି ଚିତ୍ରଣ କରୁଛନ୍ତି ଦେଖିବାକୁ ବାକି ରହିଲା । ସେମିତି ଧର୍ମେନ୍ଦ୍ର ଏବଂ ବିଜେପି ଅତୀତରେ ଦାମବାବୁ କରିଥିବା ସମସ୍ତ ଅପମାନକୁ ହଜମ କରି ଦାମଙ୍କୁ କୋଳେଇନେବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।

ବାବୁ ବୈଜୟନ୍ତ ବି ଏ ଛେପଢୋକା ତାଲିକାରେ ଅଛନ୍ତି । ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ସିବିଆଇର ଶିଥିଳତାକୁ ନେଇ ବୈଜୟନ୍ତ ବେଶ ତେରଛା ବାଣ ମାରିଥିଲେ ବିଜେପିକୁ । ଏମିତିକି ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଓଡ଼ିଶାରେ କରିଥିବା ସଭାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିବାକୁ ନେଇ ଚିହିଁକି ଉଠିଥିଲେ ବୈଜୟନ୍ତ । ବିଜେପି ବିରୋଧୀ ଭୂମିକା ନିଭାଇବାରେ ପଛଘୁଞ୍ଚା ଦେଉଛି ବୋଲି କହି ବୈଜୟନ୍ତ ସମାଲୋଚନା କରିଥିଲେ ବିଜେପି ନେତୃବୃନ୍ଦଙ୍କୁ । ଏବେ ହଟାତ ବିଜେପି କେମିତି ବୈଜୟନ୍ତଙ୍କୁ ମହମହ ବାସିଲା, ସେ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ରାଜ୍ୟବାସୀ ।ସେମିତି ନିଜକୁ ଦଳରେ ଖୁବ ଅପମାନ ଦିଆଯାଇଛି, ଏବଂ ଦଳରେ ଗଣତନ୍ତ୍ର ବୋଲି କିଛି ନାହିଁ ବୋଲି କହି ଦଳ ଛାଡିଥିଲେ ବାଲେଶ୍ବର ର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ସେ ବି ଏବେ ନିଜେ ପକେଇଥିବା ଛେପକୁ ଚାଟି ବିଜେପିକୁ ଫେରିବା ପାଇଁ କୁଆଡେ ଗୋଡ ଟେକି ବସିଛନ୍ତି ।

ଏପଟେ ନିକଟରେ ବିଜେଡିରେ ଯୋଗ ଦେଇଥିବା ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବ୍ୟକ୍ତିଗତ ଆକ୍ରମଣ କରି ଖୁବ ଚର୍ଚ୍ଚା ସାଉଁଟୁଥିଲେ । ପୁରସ୍କାର ସ୍ୱରୂପ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦ ବି ମିଳିଥିଲା । ହେଲେ ନବ ବାବୁଙ୍କୁ ବି ଛେପଢୋକା ରୋଗ ଡେଇଁଲା । ମନ୍ତ୍ରୀ ପଦ ଲୋଭରେ ବିଜେଡି ପୋଖରୀକୁ ଡେଇଁବା ସହ ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ପୁରୁଷର ସାର୍ଟିଫିକେଟ ଧରେଇଲେ ନବ । ତାଙ୍କ ରାସ୍ତାକୁ ଅନୁସରଣ କଲେ ସୁନ୍ଦରଗଡ ବିଧାୟକ ଯୋଗେଶ ଆଉ ଏବେ ଏବେ କଂଗ୍ରେସ ଶୃଙ୍ଖଳା କମିଟି ଅଧକ୍ଷ ହେମାନନ୍ଦଙ୍କ ଝିଅ ସୁନିତା ।

ନିକଟ ଅତୀତରେ ମଧ୍ୟ ରାଜ୍ୟର ବହୁ ବରିଷ୍ଠ ନେତା ଦଲବଦଳ କଲେଣି । ତେବେ ନିର୍ବାଚନକୁ ଆଉ କେଇଦିନ ବାକି ଥିବା ବେଳେ ତିନିଦଳରେ ଏବେ ଛେପଚଟା ୠତୁ ଜୋରସୋରରେ ଅନୁଭୂତ ହେବ । ବିରୋଧୀ ସପକ୍ଷବାଦୀ ସାଜିବେ । ନୀତି ନୈତିକତାର ତଣ୍ଟିଚିପି ଏମାନେ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ କରିବେ । ଆଉ ଦଳେ ଭକୁଆ ସମର୍ଥକ ସେମିତି ଜୟ ଜୟକାର କରୁଥିବେ ।

Related Posts