ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରେଳ ଓଭରବ୍ରିଜ ନିର୍ମାଣକୁ ବିସ୍ଥାପିତ ପରିବାର ପକ୍ଷରୁ କଡ଼ା ବିରୋଧ । ଉତ୍ତେଜିତ ଲୋକ ରାଉରକେଲା- ଝାରଖଣ୍ଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି, ଯାହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା କରି ଥିଲେ ହେଁ ସମାଧାନ କୌଣସି ବାଟ ବାହାରି ପାରିନି।
ଯେ ପର୍ୟ୍ୟନ୍ତ ବିସ୍ଥାପିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଜମି ବଦଳରେ ଜମି ନ ମିଳିଛି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ପରିବାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ରେଳ ଓଭରବ୍ରିଜ୍ ନିର୍ମାଣକୁ ବିରୋଧ ନେଇ ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୧୪୪ ଧାରା ଲାଗୁ କରାଯାଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
