ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ; ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ | ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ | ତାତିରୁ ମିଳୁନି ତ୍ରାହି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛନ୍ତି ଲୋକେ । ପ୍ରବଳ ଗରମ ସାଙ୍ଗକୁ ତତଲା ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶା ମଧ୍ୟ ଉତପ୍ତ ହେବାରେ ଲାଗିଲାଣି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ତାତିରୁ ତ୍ରାହି ମିଳିବ ନାହିଁ ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାରଦ ଖସିବା ସମ୍ଭାବନା ବି ନାହିଁ । ଉତ୍ତର-ପଶ୍ଚିମ ଓ କେନ୍ଦ୍ର ଭାରତରେ ତାତି ଅଧିକ ରହୁଥିବାରୁ ସେହି ତାତି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବାହିତ ହେଉଛି ।

ତତଲା କଡେଇରେ ସାରା ଓଡିଶା। ଡହ ଡହ ଖରାରେ ଭାଜି ହେଉଛନ୍ତି ସାଧାରଣଜନତା। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି।

ଗତକାଲି (ଶୁକ୍ରବାର) ଓଡିଶାର ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେଥିରୁ ୩ଟି ସହରର ପାରଦ ୪୩ ଡିଗ୍ରୀ ଉପରେ ରହିଛି। ବିଶେଷ କରି ପଶ୍ଚିମ ଓଡିଶା ଗ୍ରୀଷ୍ମପ୍ରବାହରେ ଭାଜି ହୋଇ ଯାଉଛି। ୪୩.୪ ଡିଗ୍ରୀ ସହ ବାରିପଦା ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ୪୩.୨ ଡିଗ୍ରୀ ସହ ସୋନପୁର ଦ୍ଵିତୀୟ ଏବଂ ୪୩ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ତୃତୀୟ ଉତ୍ତପ୍ତ ସହର ପାଲଟିଛି।

ଆଞ୍ଚଳିକ ପାଣିପାଗ ଅନୁଯାୟୀ, ଅନୁଗୁଳରେ ୪୨.୯ ଡିଗ୍ରୀ, ଝାରସୁଗୁଡାରେ ୪୨.୭, ବୌଦ୍ଧରେ ୪୨.୫ ଡିଗ୍ରୀ, ସୁନ୍ଦରଗଡରେ ୪୨ ଡିଗ୍ରୀ, ସମ୍ବଲପୁର ଏବଂ ଟିଟିଲାଗଡରେ ୪୧.୮ ଏବଂ ତାଳଚେରରେ ତାପମାତ୍ରା ୪୧.୬ ଡିଗ୍ରୀ ରହିଛି। ସେହି ପରି ପାରଳାଖେମୁଣ୍ଡିରେ ୪୧, ଭବାନୀପାଟଣାରେ ୪୦.୮, ହୀରାକୁଦରେ ୪୦.୬, କେନ୍ଦୁଝରରେ ୪୦.୩, ମାଲକାନଗିରି ଏବଂ ଭଦ୍ରକରେ ପାରଦ ୪୦ ଡିଗ୍ରୀ ରହିଛି। ଦ୍ଵୈତନଗରୀ କଟକରେ ୩୯ ଏବଂ ଭୁବନେଶ୍ଵରରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ରହିଛି।ଗତକାଲି ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୩ ଦଶମିକ ୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ହୋଇଥିଲା ।

Related Posts