ଛଟେଇ ପ୍ରତିବାଦରେ ଓସେପା କାର୍ଯ୍ୟାଳୟ ଆଗରେ କମ୍ପୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଛଟେଇ ପ୍ରତିବାଦରେ ଆଜି ଭୁବନେଶ୍ୱର ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି କମ୍ପ୍ୟୁଟର ଶିକ୍ଷକ। ରାଜ୍ୟରେ ବିଭିନ୍ନ ସ୍କୁଲରେ ସରକାର ନିଯୁକ୍ତି କରିଥିବା ୪୦୦୦ କମ୍ପ୍ୟୁଟର ଶିକ୍ଷକମାନେ ପୁନଃ ନିଯୁକ୍ତି ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ସେମାନଙ୍କର ଦାବି ପୁରଣ ନହେବା ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରିବାକୁ ନିଷ୍ପତି ନେଇଛନ୍ତି । 

ସେମାନଙ୍କ ଅଭିଯୋଗ ହେଉଛି ଗତ ଦୁଇ ବର୍ଷ ହେବ ଅକାରଣରେ ସରକାର ଛଟେଇ କରିଛନ୍ତି। ପୂର୍ବରୁ ଶିକ୍ଷାମନ୍ତ୍ରୀ ଏବଂ ବିଭାଗୀୟ ସଚିବ ଏ ବିଷୟରେ ଆଲୋଚନା କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଏବେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁନଃ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଫିନାଇଲ ଓ କିରୋସିନ ପିଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। 

ଆନ୍ଦୋଳନକାରୀ ଶିକ୍ଷକ ଶିକ୍ଷୟତ୍ରୀ ଆତ୍ମାହୁତି ଉଦ୍ୟମ ସମୟରେ ପୁଲିସ ସହ ଧସ୍ତାଧସ୍ତି କରିବା ସହ ଓସେପା କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ତେବେ ପୁଲିସ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ତେବେ ଏ ସବୁ ମଧ୍ୟରେ ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପୁଲିସ ଗିରଫ କରିଛି। 

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ମୁତାବକ ପୁଲିସ ସହ ଧସ୍ତାଧସ୍ତି ବେଳେ କ୍ୟାପିଟାଲ ଥାନା ଅଧିକାରୀ ଆହତ ହୋଇଛନ୍ତି। ଡିସିପି କହିଛନ୍ତି ଯେ   , କୋଭିଡ ଗାଇଡଲାଇନ ଭାଙ୍ଗି ଏକାଠି ହୋଇଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଅନ୍ୟ ପକ୍ଷରେ ସେମାନଙ୍କୁ ଗିରଫ ବେଳେ ଶିକ୍ଷୟତ୍ରୀଙ୍କୁ ପୁଲିସ ଅଧିକାରୀ ଠେଲାପେଲା କରିଥିବା ନେଇ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ ମିନେ ଅଭିଯୋଗ କରିଛନ୍ତି।

Related Posts